ଜମ୍ମୁ କଶ୍ମୀରରେ ଧାରା ୩୭୦ ଆଉଥରେ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବୀ ଆଜାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ତା ସ୍ୱରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଧାରା ୩୭୦ ଓ ୩୫ ଏ ଜମ୍ମୁ କଶ୍ମୀରରୁ ଉଚ୍ଛେଦ ହୋଇସାରିଛି। ଏବେ ଏହା ଆଉଥରେ ଲାଗୁ ହୋଇପାରିବ ନାହିଁ । ଯେଉଁମାନେ ଏହା ଆଉଥରେ ଲାଗୁ ହେବ ବୋଲି କହୁଛନ୍ତି ସେମାନେ ଜମ୍ମୁ କଶ୍ମୀରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି କହି ସେମାନେ କେବଳ ଭୋଟ୍ ବ୍ୟାଙ୍କ କଥା ଚିନ୍ତା କରୁଛନ୍ତି ।ଏଥିସହ ଲୋକଙ୍କୁ ଉସକାଇ ହିଂସା କରିବାକୁ ଚେଷ୍ଟା କରୁଛନ୍ତି । ଗତକାଲି ଉତ୍ତର କଶ୍ମୀର ବରମୁଲାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ଗୁଲାମ ନବୀ ଆଜାଦ ଏହା କହିଛନ୍ତି ।

ଏପରି କହି ମନ୍ତବ୍ୟ ଦେଇ ସେ ତାଙ୍କର ପୂର୍ବତନ ଦଳ କଂଗ୍ରେସ ଏହା ସହିତ ଜମ୍ମୁ କଶ୍ମୀରର ପିଡିପି, ଏନସି ଇତ୍ୟାଦିକୁ ଟାର୍ଗେଟ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ହେବାବେଳେ ଏହିସବୁ ଦଳ ସଂସଦରେ ବିରୋଧ କରିଥିଲେ । ଏପରିକି ସଂସଦରେ ଗୁଲାମ ନବୀ ଆଜାଦ ନିଜେ ମଧ୍ୟ ଏହାକୁ ବିରୋଧ କରିଥିଲେ । ଏବେ କଂଗ୍ରେସ ଛାଡିବା ପରେ ଗୁଲାମନବୀ ଜମ୍ମୁ କଶ୍ମୀରରେ ନିଜର ଦ୍ୱିତୀୟ ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି । ସେ ଆସନ୍ତା ୧୦ ଦିନ ଭିତରେ ତାଙ୍କ ନୂଆ ଦଳ ଘୋଷଣା କରିବେ ବୋଲି ମଧ୍ୟ କହିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ମିଛ ରାଜନୀତି ଆଉ ଚାଲିବ ନାହିଁ । ମିଛ ରାଜନୀତି କରୁଥିବା ଲୋକ ମାନଙ୍କୁ ଆଗାମୀ ଦିନରେ ତାଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Related Posts