‘କଂଗ୍ରେସକୁ ଫେରିବାର କୌଣସି ସମ୍ଭାବନା ନାହିଁ’: ହେଉଥିବା ଚର୍ଚ୍ଚାକୁ ଭିତ୍ତିହୀନ କହିଲେ ଆଜାଦ୍

ଭୁବନେଶ୍ଵର,୩୧/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସହ ଦୀର୍ଘ ୫୨ ବର୍ଷର ସମ୍ପର୍କଚ୍ଛିନ୍ନ କରି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ପୁଣି କଂଗ୍ରେସକୁ ଫେରି ପାରନ୍ତି। କଂଗ୍ରେସ ନେତ୍ରୀ ଅମ୍ବିକା ସୋନି ଏନେଇ କୁଆଡ଼େ ଗୁଲାମନବୀ ଆଜାଦଙ୍କ ସହ କଥାବାର୍ତ୍ତା କରିଛନ୍ତି । ଜାତୀୟ ଗଣମାଧ୍ୟମ ଗୁଡିକରେ ଏଭଳି ଚର୍ଚ୍ଚା ପରେ ନିଜର ଘର ବାହୁଡ଼ା ଖବରକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଗୁଲାମନବୀ।

କଂଗ୍ରେସକୁ ପୁଣି ଫେରିବା ଖବର ରୋକଠୋକ ଖଣ୍ଡନ କରିଛନ୍ତି ଗୁଲାମନବୀ। କଂଗ୍ରେସକୁ ଫେରିବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା ବେଳେ ଏହି ଭେଟରାନ ରାଜନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣଙ୍କ କହିଛନ୍ତି ଯେ, ତାଙ୍କର ଘର ବାହୁଡ଼ା ଖବରକୁ ଗଣମାଧ୍ୟମରେ ଜାଣିଶୁଣି କଂଗ୍ରେସର କିଛି ନ୍ୟସ୍ତସ୍ୱାର୍ଥ ନେତା ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ।

ଗୁଲାମନବୀ କହିଛନ୍ତି, ମୁଁ ଏନେଇ କେବେ ହେଲେ କୌଣସି କଂଗ୍ରେସ ନେତାଙ୍କ ସହ କଥା ହୋଇନି। କେହି ବି ମୋ ସହ କଥା ହେବାକୁ ଫୋନ କରି ନାହାନ୍ତି। ତେଣୁ ମୁଁ ଭାବୁଛି କାହିଁକି ଏମିତି ସବୁ ଖବର ମିଡିଆରେ ପ୍ରକାଶ ପାଉଛି ? ମୁଁ ନୂଆ କରି ଗଠନ କରିଥିବା ଦଳର ନେତା ଓ କର୍ମୀଙ୍କ ଜୋଶକୁ ଭାଙ୍ଗିବା ଏବଂ ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏସବୁ ମିଛ ଖବରକୁ ପ୍ରକାଶ କରାଯାଉଛି। କିନ୍ତୁ ସେ ଯାହା ବି ହେଉ, ଆମେ ବେଶ ଦୃଢ଼ତାର ସହ ନିଜର ପରିଚୟ ସୃଷ୍ଟି କରିବୁ ବୋଲି ଅଜାଦ କହିଛନ୍ତି ।

ଗୁଲାମନବୀ ଆହୁରି କହିଛନ୍ତି ଯେ, ମୁଁ କାହା ସହ କାଦୁଅ ଫିଙ୍ଗା ରାଜନୀତି କରେ ନାହିଁ। ମୋର ଯାହା ବି କହିବାର ଥିଲା, ସେସବୁ ମୁଁ ମୋର ଇସ୍ତଫାପତ୍ରରେ କହି ସାରିଛି। ଏହାପରେ ଲୋକଙ୍କ ସେବା କରିବା ପାଇଁ ମୁଁ ମୋର ନିଜସ୍ୱ ରାସ୍ତାରେ ବାହାରିଛି। ଲୋକଙ୍କ ବିଶ୍ୱାସ ମୋ ଉପରେ ରହିଛି ବୋଲି ସେ କହିଛନ୍ତି ।

ସେହିପରି ଜମ୍ମୁ-କଶ୍ମୀରରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ କ’ଣ ସାମିଲ ହେବେ ବୋଲି ପ୍ରଶ୍ନରେ ଗୁଲାମନବୀ କହିଛନ୍ତି, “ସେଭଳି କୌଣସି ଯୋଜନା ନାହିଁ। ନିଜ କାମ ପାଇଁ ମୁଁ ଏବେ ବହୁତ ବ୍ୟସ୍ତ ଅଛି।”

Related Posts