ଅରୁଣାଚଳ ପ୍ରଦେଶ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା; ଉଦ୍ଧାର ହେଲା ଶେଷ ଯବାନଙ୍କ ମୃତଦେହ, ମୋଟ ୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଅନ୍ତିମ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ସହ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଏସ ବାଲିଆ ଏନେଇ ସୂଚନା ଦେଇ କହିଛନ୍ତି।

ସେ କହିଛନ୍ତି ଯେ, ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କୁ ନେଇ ଶୁକ୍ରବାର ହେଲିକପ୍ଟର ନିୟମିତ ଉଡାଣ ଆରମ୍ଭ କରିଥିଲା । ପାଖାପାଖି ୧୦ଟା ୪୩ରେ ଏହା ମିମିଙ୍ଗ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବାଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦୁର୍ଘଟଣା ଚୀନ ସୀମାର ପାଖପାଖି ୩୫ କିଲୋମିଟର ଦୂରରେ ହୋଇଛି । ଘନ ଜଙ୍ଗଲ ଭିତରେ ଏହି ଦୁର୍ଘଟଣା ହୋଇଥିଲା । ଶୁକ୍ରବାର ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇପାରିନଥିଲା । ତେବେ ଶନିବାର ଶେଷ ଯବାନଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

Related Posts