ଯଦି ଖେଳିବାକୁ ପାକିସ୍ତାନ ଯିବ ନାହିଁ, ତେବେ ବିଶ୍ୱକପ୍ ରେ ତାଙ୍କ ସହ କାହିଁକି ଖେଳୁଛ ?; ଭାରତ-ପାକ୍ ମ୍ୟାଚ୍ କୁ ନେଇ ପ୍ରଶ୍ନ ଉଠାଇଲେ ଓୱେସି

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପ୍‌ ଆଜିଠାରୁ ଆରମ୍ଭ ହୋଇଛି। ଏହାକୁ ନେଇ ଉତ୍ସାହ ବଢ଼ିବାକୁ ଯାଉଛି ଏବଂ କ୍ରୀଡ଼ାପ୍ରେମୀମାନେ ରବିବାର ଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି। ତେବେ ମ୍ୟାଚ୍‌ ପୂର୍ବରୁ ଏ ସମ୍ପର୍କରେ ରାଜନୀତି ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ ଉପରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଭାରତ ବର୍ତ୍ତମାନ ପାକିସ୍ତାନ ସହ କାହିଁକି ମ୍ୟାଚ୍‌ ଖେଳୁଛି?

ପାକିସ୍ତାନରେ ଏସିଆ କପ୍‌ ୨୦୨୩ ଆୟୋଜନ ହେବାକୁ ଯାଉଛି। ତେବେ ପାକିସ୍ତାନରେ ଏସିଆ କପ୍ ଆୟୋଜନ ହେଲେ ଭାରତୀୟ ଦଳ ସେଠାକୁ ଯିବ ନାହିଁ ବୋଲି ବିସିସିଆଇ ଘୋଷଣା କରିଛି। ଏହାସହିତ ଏସିଆ କପ୍ କୁ ଅନ୍ୟତ୍ର ଆୟୋଜନ କରିବାକୁ କହିଛି।

ଓୱେସି ଏହି ନିଷ୍ପତ୍ତିକୁ ନେଇ ବର୍ତ୍ତମାନର ବିଶ୍ୱକପ୍ ମ୍ୟାଚ୍‌କୁ ପ୍ରଶ୍ନ ଘେରକୁ ଆଣିଛନ୍ତି। ସେ କହିଛନ୍ତି ଯେ, ଏବେ ଭାରତ ଅଷ୍ଟ୍ରେଲିଆରେ ପାକିସ୍ତାନ ସହିତ କ୍ରିକେଟ୍‌ ମ୍ୟାଚ୍‌ ଖେଳୁଛି କାହିଁକି? ଖେଳିବାର ନଥିଲା। ଆମେ ପାକିସ୍ତାନ ଯିବୁ ନାହିଁ, କିନ୍ତୁ ତାଙ୍କ ସହ ଅଷ୍ଟ୍ରେଲିଆରେ ଖେଳିବୁ। ଏହି ପ୍ରେମ କ’ଣ ପାଇଁ? ପାକିସ୍ତାନ ସଙ୍ଗେ ଖେଳ ନାହିଁ।’ ଓୱେସି ଆହୁରି କହିଛନ୍ତି ଯେ, ଯଦି ପାକିସ୍ତାନ ସହିତ ନ ଖେଳ ତେବେ କ’ଣ ଅସୁବିଧା ହୋଇଯିବ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ସେ ବିଶ୍ୱକପ୍ ମ୍ୟାଚ୍ କୁ ନେଇ କହିଛନ୍ତି ଯେ, ବର୍ତ୍ତମାନ ମ୍ୟାଚ୍‌ କିଏ ଜିତିବ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ମଧ୍ୟ ଭାରତ ଜିତୁ ବୋଲି ଚାହୁଁଛି। ଶାମି ଓ ମହମ୍ମଦ ସିରାଜଙ୍କ ପରି ଖେଳାଳି ଥିବାରୁ ପାକିସ୍ତାନକୁ ହରାଇବା ସହଜ ହେବ ବୋଲି ଓୱେସି କହିଛନ୍ତି।

Related Posts