ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପକ୍କାଘର ବଣ୍ଟନ ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ । ଏହା ମଧ୍ୟରେ କଂଗ୍ରେସ ନେତା ତାରା ବାହିନୀପତିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ତାରା କରିଛନ୍ତି କି ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଏପର‌୍ୟ୍ୟନ୍ତ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ସେମାନେ ଖରା ବର୍ଷାରେ ଜୀବନ ଅତିବାହିତ କରୁଛନ୍ତି । ଏମାନଙ୍କୁ କାହିଁକି ପକ୍କାଘର ଯୋଗାଇ ଦିଆଯାଇ ନାହିଁ ? କେଉଁଠି ଅସୁବିଧା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ତାରା କହିଛନ୍ତି କି ଯଦି କେନ୍ଦ୍ର ସରକାର ଆବଶକୀୟ ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉନାହାଁନ୍ତି ତେବେ ଦଳମତ ନିର୍ବିଶେଷରେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାକୁ ସେ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ତାରା ଦାବି କରିଛନ୍ତି କି ଯଦି କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାରେ ବିଳମ୍ବ କରୁଛନ୍ତି ତେବେ ରାଜ୍ୟ ସରକାର ‘ମୋ କୁଡିଆ’ ଯୋଜନାରେ ୧୨ ଲକ୍ଷ ହିତାଧିକାରୀଙ୍କୁ ତୁରନ୍ତ ପକ୍କାଗୃହ ଯୋଗାଇ ଦିଅନ୍ତୁ ।

ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି କି, ରାଜ୍ୟ ସରକାର ପକ୍କାଘର ଯୋଗାଇବାରେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ଏହି କାରଣରୁ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାର ବଞ୍ଚିତ ହେଉଛନ୍ତି ବୋଲି ସାଲୁଜା ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାର ଫନି ବାତ୍ୟା ପ୍ରପୀଡିତ ଲୋକଙ୍କ ଏପର‌୍ୟ୍ୟନ୍ତ ଘର ଯୋଗାଇ ଦେଇ ନାହାଁନ୍ତି ବୋଲି ସାଲୁଜା କହିବା ସହ ତୁରନ୍ତ ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ତାରାଙ୍କ ତଥ୍ୟକୁ କାଉଣ୍ଟର ଦେଇଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ସେ କହିଛନ୍ତି କି, ଗୃହରେ ଯେଉଁ ତଥ୍ୟ ରଖାଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ ।

କେନ୍ଦ୍ର ସରକାର ପକ୍କାଘର ଯୋଗାଇ ଦେଉନଥିବା ଅଭିଯୋଗ ଠିକ୍ ନୁହେଁ ବୋଲି ସେ କହିବା ସହ କେନ୍ଦ୍ର ସରକାର ୧୫ ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ଘୋଷଣା କରିଥିବା କଥା ସେ କହିଛନ୍ତି । ଏହି ୧୫ ଲକ୍ଷ ପକ୍କାଘର ମଧ୍ୟରୁ କେନ୍ଦ୍ର ସରକାର ୫ ଲକ୍ଷ ଘର ଯୋଗାଇ ଦେଇଛନ୍ତି । ହେଲେ ରାଜ୍ୟ ସରକାର ତାହାକୁ ପ୍ରାଥମିକତା ଭିତ୍ତିରେ ବାଣ୍ଟିବାରେ ବିଫଳ ହୋଇଥିବା କଥା ଅଭିଯୋଗ କରିଛନ୍ତି ବିରୋଧୀଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।