ପଦ୍ମପୁରରେ ଚାଲିଛି ପଲିଟିକାଲ ରେଡ, ଆଇଟି ଓ ଜିଏସଟିକୁ ନିଜ ନିଜ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବିଜେଡି ଓ ବିଜେପି: ତାରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁରରେ ଉପନିର୍ବାଚନ ପ୍ରଚାର ମଧ୍ୟରେ ଆୟକର ବିଭାଗ (ଆଇଟି) ଓ ଜିଏସଟି ରେଡ ବାତାବରଣକୁ ଅଧିକ ଉଷ୍ମ କରିଛି। ସେପଟେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଆଉ ଏଭଳି ରେଡକୁ ନେଇ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ପଦ୍ମପୁରରେ ଆଇଟି ଓ ଜିଏସଟି ନୁହେଁ ବରଂ ପଲିଟିକାଲ ରେଡ ଚାଲିଛି । ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଦଳ ନିଜ ନିଜ ଅସ୍ତ୍ର ବ୍ୟବହାର କରୁଛନ୍ତି ।

ବିଜେପି ଇଡି ଓ ସିବିଆଇକୁ ବ୍ୟବହାର କରୁଛି, ବିଜେଡି ଜିଏସଟି ଓ କ୍ରାଇମବ୍ରାଞ୍ଚକୁ ବ୍ୟବହାର କରୁଛି । ତେବେ ଏହାଦ୍ୱାରା ସାଧାରଣ ଲୋକଟିଏ ହନ୍ତସନ୍ତ ହେଉଛି । ବ୍ୟବସାୟୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହି ପଲିଟିକାଲ ରେଡ୍ ବାବଦରେ ଲୋକେ ଭଲ ଭାବେ ଜାଣି ସାରିଲେଣି । ଲୋକଙ୍କର ଚିନ୍ତାଧାରା ବଦଳିଗଲାଣି । ପଦ୍ମପୁରରେ ଏହାର ପ୍ରଭାବ ନିଶ୍ଚୟ ପଡିବ । ୨୦୨୪ରେ ଲୋକେ କଂଗ୍ରେସକୁ ହିଁ ଭୋଟ ଦେବେ ବୋଲି ତାରା କହିଛନ୍ତି ।

ଅନ୍ୟପଟେ ଏହି ରେଡକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟ ମତ ରଖିଛନ୍ତି । ବିଜେପି ନେତା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଆଇଟି ରେଡ୍ ପୂର୍ବ ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଏହା ପରେ ଜିଏସଟି ରେଡ୍ ହେବାରୁ ସ୍ପଷ୍ଟ ଯେ ଶାସକ ବିଜେଡ଼ି ଆକ୍ରୋଶ ମୂଳକ ପଦକ୍ଷେପ ନେଇଛି, ଯାହାକୁ ପଦ୍ମପୁର ବଣିକ ସଂଘ ବିରୋଧ କରିଛି।

ସେହିଭଳି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଏହି ରେଡ୍ କୁ ନେଇ କହିଛନ୍ତି ଯେ, ରାଜ୍ୟ ସରକାର ଚାହିଁଥିଲେ ଜିଏସଟି ରେଡ୍ କେବେଠୁ ଆରମ୍ଭ କରି ଥାଇ ପାରିଥାନ୍ତେ । କିନ୍ତୁ ନିର୍ବାଚନ ସମୟରେ ଆଇଟି ରେଡ୍ କରି ଏଭଳି ପରମ୍ପରାର ଉପକ୍ରମ ବିଜେପି ଆରମ୍ଭ କରିଛି ।

Related Posts