ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅସାନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅସାନୀ । ଏବେ ପୁରୀଠାରୁ ୯୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣାଠାରୁ ୯୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହାପରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ରିକର୍ଭ ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା । ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାପରେ ପବନର ବେଗ ବଢ଼ିବ । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୫ରୁ ୧୧୫ କିଲୋମିଟର ଏବଂ ଝଟକା ପବନ ଘଣ୍ଟାପ୍ରତି ୧୨୫ କିଲୋମିଟର ପର‌୍ୟ୍ୟନ୍ତ ବହିବା ସମ୍ଭାବନା ରହିଛି।ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ସମ୍ଭାବନା ଥିବାରୁ ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Related Posts