ଏସିଆ କପ୍‌ ୨୦୨୨: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଟାଇଟଲ ଲଢେଇ

ନୂଆଦିଲ୍ଲୀ : ଏସିଆ କପ୍‌ରେ ଆଜି ମୁହାମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା । ଉଭୟ ଦଳ ଟାଇଟଲ ହାସଲ କରିବା ପାଇଁ ଲଢେଇ କରିବ । ଶେଷ ଥର ପାଇଁ ୨୦୧୨ରେ ଚାମ୍ପିଅନ୍‌ ହୋଇଥିବା ପାକିସ୍ତାନ ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ ତୃତୀୟ ଥର ପାଇଁ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଞ୍ଚ ଥର ଏସିଆ କପ୍‌ ଜିତି ସାରିଛି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିଥିଲା । ଦଳରେ କେହି ଷ୍ଟାର୍‌ ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଦିନକ ତଳେ ପାକିସ୍ତାନକୁ ହରାଇଥିବା ଶ୍ରୀଲଙ୍କା ଆଉ ଏକ ବିଜୟ ସହ ଚାମ୍ପିଅନ୍‌ ହେବାକୁ ଲକ୍ଷ୍ୟ ରଖିଛି ।

ପାକିସ୍ତାନ ଦଳ ପରାଜୟର ପ୍ରତିଶୋଧ ନେଇ ଟାଇଟଲ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଶ୍ରୀଲଙ୍କାକୁ ହରାଇବାର ଯଥେଷ୍ଟ କ୍ଷମତା ପାକିସ୍ତାନ ନିକଟରେ ରହିଛି ।

ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଫଖାର ଜମାନ, ଇଫତିଖର ଅହମ୍ମଦ, ଖୁଶଦିଲ ଶାହ, ଶଦାବ ଖାନ, ଅସିଫ ଅଲି, ମହମ୍ମଦ ନୱାଜ, ନସିମ ଶାହ, ହ୍ୟାରିସ ରୌଫ, ମହମ୍ମଦ ହସନୈନ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଳ ମେଣ୍ଡିସ, ଚରିଥ ଆଶାଲଙ୍କା, ଦନୁଷ୍କା ଗୁଣତିଳକ, ଡାସୁନ ଶଣକା(ଅଧିନାୟକ), ଭାନୁକା ରାଜାପାକ୍ସା, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନା, ମହୀଶ ତିକ୍ଷଣା, ଅସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଡୁଶଙ୍କା

Related Posts