ଆସନ୍ତା ତିନିଦିନ ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତ ରୂପ ନେବ । ଏବେ ୱେଲ ମାର୍କଡ୍‌ ଲୋ ପ୍ରେସର୍‌ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଉପକୂଳ ଉପରେ ରହି ଆହୁରି ଘନୀଭୂତ ହେବ । ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ଆସନ୍ତା ତିନିଦିନ ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେପଟେ ଆସନ୍ତା ୧୭ରୁ ୧୮ ତାରିଖ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏବେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବ । ଏହାର ପ୍ରଭାବରେ ତମାମ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୧ରେ ଦକ୍ଷିଣ ଓଡିଶା ଓ ୧୨ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।

୧୧ରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ସୋନପୁର ବରଗଡ ଓ ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୨ରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭୦ରୁ ୧୧୧ ମିଲିମିଟର ଯାଏ ବର୍ଷା ହୋଇପାରେ। ୧୩ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଆଜି ପାରଳାଖେମୁଣ୍ଡି, ମାଲକାନଗିରି, ଦାରିଙ୍ଗିବାଡି ଓ ଗୋପାଳପୁରରେ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଗୋପାଳପୁରରେ ସର୍ବାଧିକ ୯୪ମିମି ବର୍ଷା ହୋଇଛି । ପୁରୀ, ଭୁବନେଶ୍ୱର ଓ ଚାନ୍ଦବାଲିରେ ବି ଅଧିକ ବର୍ଷା ହୋଇଛି

Related Posts