ଆସାମ ସରକାର ଆଣିଲେ ନୂତନ ଗୋ ସୁରକ୍ଷା ବିଲ୍ : ମନ୍ଦିରରୁ ୫ କିଲୋମିଟର ମଧ୍ୟରେ ଗୋ ମାଂସ ବିକ୍ରି କରିବା ବେଆଇନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି। ପ୍ରଥମେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବର୍ତ୍ତମାନ ଗୋ ସୁରକ୍ଷା ବିଲ୍ କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଧାନସଭାରେ ଗୋ ସୁରକ୍ଷା ବିଲ୍, ୨୦୨୧ ଉପସ୍ଥାପନ କରିଛନ୍ତି। ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ଯେଉଁଠି ହିନ୍ଦୁ, ଜୈନ ଏବଂ ଶିଖ ଧର୍ମାବଲମ୍ୱୀର ଲୋକେ ବସବାସ କରୁଛନ୍ତି କିମ୍ବା ସେମାନଙ୍କର ଧର୍ମପୀଠ ରହିଛି ସେଠାରୁ ୫ କିଲୋମିଟର ପରଧି ମଧ୍ୟରେ କୌଣସି ପ୍ରକାର ଗୋହତ୍ୟା ହୋଇପାରିବ ନାହିଁ କିମ୍ବା ଗୋ ମାଂସ ବିକ୍ରି ହୋଇ ପାରିବ ନାହିଁ ବୋଲି ବିଲ୍ ରେ ଉଲ୍ଲେଖ ରହିଛି।

 ତେବେ ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଆସାମ ବିଧାନସଭାରେ ଏହି ବିଲ୍ ପାରିତ ହୋଇଛି। ବର୍ତ୍ତମାନ ହିନ୍ଦୁ, ଜୈନ, ଶିଖ ଏବଂ ଅନ୍ୟ ଧର୍ମ ଯେଉଁମାନେ ଗୋ ହତ୍ୟା ଏବଂ ଗୋ ମାଂସକୁ ବିରୋଧ କରନ୍ତି; ସେହି ସ୍ଥାନରେ ଗୋହତ୍ୟା ଏବଂ ଚାଲାଣ କରିବା ବେଆଇନ୍।  ଏହି ଆଇନର ତଦାରଖ ପାଇଁ ସବ ଇନସପେକ୍ଟର, ଭେଟେନାରୀ ଡାକ୍ତର ନହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।ନୂତନ ଆଇନ ଅନୁଯାୟୀ ଯେଉଁମାନେ ଗୋମାଂସ ବିକ୍ରି କରିବେ ସେମାନେ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡିବ। ଯଦି ଜିଲ୍ଲା ଭିତରେ କୌଣସି ବଜାରକୁ ଗାଈ ବିକ୍ରି ପାଇଁ ନିଆଯାଉଥିବ ତାହେଲେ ଅନୁମତିର ଆବଶ୍ୟକ ନାହିଁ। 

     ଏତଦ୍ ବ୍ୟତୀତ ଗୋରୁ ମାନଙ୍କୁ ଚାଷ ପାଇଁ ନିଆଯାଉଥିଲେ ମଧ୍ୟ ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ। ଯଦି ଏହି ବେଆଇନ୍ କାମ କରିବା ନେଇ କେହି ଧରାପଡ଼ିବେ ତାହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜାମିନ୍ ବିହିନୀ ଜେଲ ଦଣ୍ଡାଦେଶ ରହିଛି। ସେହିପରି ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡ ଦିଆଯିବାର ପ୍ରାବଧାନ ରହିଛି। ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଦୋଷୀ ଦ୍ୱିତୀୟ ଥର ସମାନ କିମ୍ବା ସମ୍ପୃକ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଦଣ୍ଡ ଦ୍ୱିଗୁଣିତ ହେବ। 

      ଏହି ବିଲ୍ ଆସାମ ଗୋରୁ ସଂରକ୍ଷଣ ଆଇନ, ୧୯୫୦ ର ସ୍ଥାନ ନେବ , ଯେଉଁଥିରେ ୧୪ ବର୍ଷରୁ ଅଧିକ ଗୋରୁଙ୍କୁ ହତ୍ୟା କରିବାକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅନୁମୋଦନ ନେବାର ପ୍ରାବଧାନ ରହିଥିଲା । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, ଗୋ ହତ୍ୟା ଏବଂ ବେଆଇନ ପରିବହନକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚଳିତ ଆଇନରେ ପର୍ଯ୍ୟାପ୍ତ ଆଇନଗତ ବ୍ୟବସ୍ଥାର ଅଭାବ ଥିବାରୁ ଏହି ନୂତନ ବିଲ୍ ର ଆବଶ୍ୟକ ଥିଲା।

 ତେବେ ଆସାମ ସରକାରଙ୍କ ଏହି ବିଲ୍ କୁ ବିରୋଧ କରି ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ର ଅମିନୁଲ ଇସଲାମ କହିଛନ୍ତି, “ଗାଇ ମାନଙ୍କୁ ସୁରକ୍ଷା ଦେବା କିମ୍ବା ଗାଇଙ୍କୁ ସମ୍ମାନ ଦେବା ପାଇଁ ଏହା ବିଲ୍ ଆସିନାହିଁ ବରଂ ଏହା ମୁସଲମାନମାନଙ୍କ ଭାବନାକୁ ଆଘାତ କରିବା ସହ ସମ୍ପ୍ରଦାୟକ ପୋଲାରାଇଜେସନ୍ କରିବା ପାଇଁ ଅଣାଯାଇଛି।”

Related Posts