ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ନବ ଦାସ ହତ୍ୟା ମାମଲାକୁ ନେଇ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପରେ ଗୃହକାର୍ଯ୍ୟ ଚାଲି ନପାରିବାରୁ ଗୃହକୁ ବାଚସ୍ପତି ମୁଲତବୀ କରିଛନ୍ତି । ଏହାପରେ ଶାସକ ବିଜୁ ଜନତା ଦଳର ସମସ୍ତ ମହିଳା ବିଧାୟିକା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବାକୁ ଦାବି କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଜୟନାରାୟଣ ଗୃହରେ ରହିଲେ ମହିଳା ସୁରକ୍ଷିତ ନୁହେଁ। ତେଣୁ ତୁରନ୍ତ ଜୟ ନାରାୟଣଙ୍କ ନିକଟରୁ ବିରୋଧି ଦଳର ନେତା ଅନୁମୋଦନକୁ ପ୍ରତ୍ୟାହାର କରାଯାଉ।
ବିଜେଡି ମହିଳା ବିଧାୟକଙ୍କ ଦାବି ସଂପର୍କରେ ଗଶମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ଯେ, ଜୟନାରାୟଣ ଜଣେ ଅପରାଧୀ। ତାଙ୍କ ନାମରେ ୧୬ଟି ଆପରାଧୀକ ମାମଲା ରହିଛି। ସେ ଜାମିନରେ ଆସି ବିଧାନସଭାକୁ ଆସୁଛନ୍ତି । ତାଙ୍କର ମାନସିକ ସ୍ଥିତି ଭଲ ନାହିଁ। ସେ ଜଣେ କର୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରି ପାରୁଛନ୍ତି । ନିଜ ଦଳର ସଭାପତିଙ୍କୁ ମାଡ ମାରି ପାରୁଛନ୍ତି ଏଭଳି ବ୍ୟକ୍ତି ବିଧାନସଭାରେ ରହିଲେ ଆମେ ବିଧାୟିକାମାନେ ଅସୁରକ୍ଷିତ ମନେ କରୁଛୁ । ତେଣୁ ବିରୋଧୀ ଦଳ ନେତା ପଦରୁ ତାଙ୍କୁ ହଟାଯାଉ ବୋଲି ସ୍ନେହାଙ୍ଗିନୀ ଛୁରିଆ ଦାବି କରିଛନ୍ତି ।
