ରୁଦ୍ର ମହାରଥୀଙ୍କ ବଡ ଅଭିଯୋଗ; ନବ ଦାସଙ୍କୁ ଧମକ ଦେଉଥିଲେ ଧର୍ମେନ୍ଦ୍ର ଓ ଜୟନାରାୟଣ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଗତକାଲି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏହି ହତ୍ୟାକାଣ୍ଡରେ 5T ସଚିବ ପାଣ୍ଡିଆନ ଓ ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ କଲ ରେକର୍ଡ ଯାଞ୍ଚ ପାଇଁ ଦାବି କରିଥିଲେ। ଅନ୍ୟପଟେ ଆଜି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ଉଭୟ ଧର୍ମେନ୍ଦ୍ର ଓ ଜୟନାରାୟଣ ନବ ଦାସଙ୍କୁ ଧମକ ଦେଉଥିବା ସେ କହିଛନ୍ତି ।

ରୁଦ୍ର କହିଛନ୍ତି ଯେ, ମୁଁ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱ ରେ ଥିଲି। ସେ ସମୟରେ ଦଳର ରଣନୀତି ବିଷୟରେ ଆଲୋଚନା ସମୟରେ ସ୍ବର୍ଗତ ନବ କିଶୋର ଦାସ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟ ମିଶ୍ର ତାଙ୍କୁ ଧମକ ଦେଉଛନ୍ତି। ପଦ୍ମପୁର ଉପନିର୍ବାଚନକୁ ନ ଆସିବା ପାଇଁ ଓ ଦୁରେଇ ରହିବା ପାଇଁ ଚାପ ପକାଉଛନ୍ତି । ସେତବେଳେ ନବ କହିଥିଲେ ମୁଁ କାହାକୁ ଡରେ ନାହିଁ ଏବଂ ସେ ନିର୍ବାଚନର ଦାୟିତ୍ୱ ନେଇଥିଲେ। ତେଣୁ ତାଙ୍କ ହତ୍ୟାରେ କେଉଁଠି ନା କେଉଁଠି ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ସଂନ୍ଦେହେ ଘେରରେ ରହୁଛି। ଜୟନାରାୟଣ ମିଶ୍ରଙ୍କ ନାମରେ ୧୬ଟି ଅପରାଧିକ ମାମଲା ରହିଛି। ଜଣେ କର୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ସେ ପଛାଉ ନାହାନ୍ତି। ତାଙ୍କଠାରୁ ଯୁବ ବିଧାୟକ ମାନେ କଣ ଶିଖିବେ? ତାଙ୍କ ଉପସ୍ଥିତିରେ ବିଧାନସଭାରେ ଆମେ ସୁରକ୍ଷିତ ନାହୁଁ। ଆମେ ବାଚସ୍ପତିଙ୍କୁ ଭେଟିଛୁ ଓ ଆମେ ଗୃହରେ ସୁରକ୍ଷିତ ନୁହେଁ ବୋଲି ଜଣାଇଥିବା ରୁଦ୍ର କହିଛନ୍ତି ।

Related Posts