ଭୁବନେଶ୍ୱର : ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ତେବେ ତା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରାଯିବା ନେଇ ସର୍ବଦଳୀୟ ବୈଠକ ଡକାଯାଇଛି।
ତେବେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସବୁ ଦଳର ନେତାମାନେ ଯୋଗ ଦେବେ। ଆରୁଖ ବାଚସ୍ପତି ହେଲା ପରେ ମୌସୁମୀ ଅଧିବେଶନରେ ସେ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିବେ। ତେଣୁ ଆଜିର ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି। ମାର୍ଚ୍ଚ ମାସରେ ହୋଇଥିବା ଅଧିବେଶନରେ କଟକଣା ଉଠାଇ ପୂର୍ବ ପରି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବିରୋଧୀ ଦଳ ସଭ୍ୟମାନେ ଦାବି କରିଥିଲେ। କିନ୍ତୁ ତତ୍ କାଳୀନ ବାଚସ୍ପତି ତାହାକୁ ଗ୍ରହଣ କରିନଥିଲେ।
ସେହିପରି ବିଧାନସଭା ପ୍ରେସ୍ ଗ୍ୟାଲେରିରୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି ହୋଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇନଥିଲା। ବର୍ତ୍ତମାନ ରାଜ୍ୟରେ କୋଭିଡ୍ କଟକଣା ନଥିଲା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଆଜି ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ ଯେ, ଆସନ୍ତା ୨ ତାରିଖରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ଦଳ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ ବୋଲି ସୂଚନା ମିଳିଛି। ମୌସୁମୀ ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ।
