ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ଉପରେ କଡା ମନ୍ତବ୍ୟ ଦେଇ ତାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସକୁ ଫେରିବେ କି ବୋଲି ଗଣମାଧ୍ୟମର ଏହି ପ୍ରଶ୍ନର ଉତ୍ତରରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ସିନ୍ଧିୟା ଜଣେ ୨୪ କ୍ୟାରେଟ୍ ବେଇମାନ, ଦେଶଦ୍ରୋହୀ,ଦଳଦ୍ରୋହୀ। ସେ ଦଳକୁ ଫେରିବା ନେଇ କୌଣସି ପ୍ରଶ୍ନ ଉଠୁ ନାହିଁ କି ଏନେଇ କୌଣସି ବି ସମ୍ଭାବନା ନାହିଁ ବୋଲି ରମେଶ କହିଛନ୍ତି।

ସୂଚନାଥାଉକି, ବର୍ଷ ପୂର୍ବେ ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସ ଛାଡି ଦୁଇ ବିଜେପିରେ ଯୋଗ ଦେଇଥିଲେ। ସେ ସମୟରେ ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଥିଲା ଓ କମଳନାଥ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ସିନ୍ଧିୟା ଦଳ ଛାଡ଼ିବା ସହିତ ନିଜ ସହ କିଛି ବିଧାୟକଙ୍କୁ ନେଇ ଯିବାରୁ ତତ୍କାଳୀନ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା ଓ ରାଜ୍ୟରେ ବିଜେପି ପୁଣି କ୍ଷମତାକୁ ଫେରିଥିଲା। ଏବେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସିନ୍ଧିୟା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀପଦ ପାଇଛନ୍ତି।

ତେବେ ଭାରତ ଯୋଡ଼ ଯାତ୍ରାରେ ମଧ୍ୟପ୍ରଦେଶର ଅଗର ମାଲୱାଠାରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, କଂଗ୍ରେସ ଭରତ ଯୋଡା ଯାତ୍ରା ସମୟରେ ଦଳ କପିଲ ସିବଲଙ୍କ ଭଳି ଲୋକଙ୍କୁ ଫେରିବାକୁ ଅନୁମତି ଦେଇପାରେ, ଯେଉଁମାନେ କି ଦଳ ଛାଡିବା ପରେ ଏକ ସମ୍ମାନଜନକ ନୀରବତା ବଜାୟ ରଖିଛନ୍ତି। କିନ୍ତୁ ଦଳ ଜ୍ୟୋତିରାଦିତ୍ୟ ସିନ୍ଧିୟା କିମ୍ବା ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ବେଇମାନଙ୍କୁ କେବେ ଅନୁମତି ଦେବନାହିଁ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ବରଂ ଜୟରାମ ରମେଶ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ “୨୪ କ୍ୟାରେଟ୍ ଦେଶଦ୍ରୋହୀ” ବୋଲି କହିଛନ୍ତି। ତେବେ କୌଣସି ବିଦ୍ରୋହୀ ନେତା ଦଳକୁ ଯଦି ଫେରି ଆସିବାକୁ ଚାହାଁନ୍ତି ତେବେ କଂଗ୍ରେସର ଆଭିମୁଖ୍ୟ କ’ଣ ହେବ ବୋଲି ପ୍ରଶ୍ନ କରାଯିବାରୁ ଜୟରାମ ରମେଶ କହିଛନ୍ତି, ‘ମୁଁ ଭାବୁଛି ଯେଉଁମାନେ କଂଗ୍ରେସ ଛାଡିଛନ୍ତି ସେମାନଙ୍କୁ ସ୍ୱାଗତ କରାଯିବା ଉଚିତ ନୁହେଁ’।

ଜୟରାମ ରମେଶ ପୁଣି କହିଛନ୍ତି ଯେ, ଯେଉଁ ନେତା ଦଳଛାଡ଼ି ଯାଇଛନ୍ତିଏ ଏବଂ ପରେ ଦଳକୁ ଗାଳି କରିଛନ୍ତି, ସେମାନଙ୍କୁ ପୁଣିଥରେ ଦଳକୁ ଫେରିବାର ଆବଶ୍ୟକତା ନାହିଁ। କିନ୍ତୁ ଯେଉଁମାନେ ସମ୍ମାନର ସହ ଦଳ ଛାଡିଛନ୍ତି ଏବଂ ସମ୍ମାନଜନକ ନୀରବତା ବଜାୟ ରଖିଛନ୍ତି, ସେମାନଙ୍କୁ ଦଳରେ ପୁନଃ ପ୍ରବେଶ ପାଇଁ ଅନୁମତି ଦେବା ନେଇ ବିଚାର କରାଯାଇପାରେ। ସୂଚନାଥାଉକି, ଜୟରାମ ରମେଶ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ବାଧିନ ଭାରତଯୋଡ଼ ଯାତ୍ରାରେ ଯୋଗ ଦେଇ ପଦଯାତ୍ରା କରୁଛନ୍ତି। ସେ କହିଛନ୍ତି ମୁଁ ମୋର ଜଣେ ପୂର୍ବତନ ସହଯୋଗୀ ତଥା ଜଣେ ଭଲ ବନ୍ଧୁର କର୍ତ୍ତବ୍ୟ ପୂରା କରିଥିବା କପିଲ ସିବଲଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଚିନ୍ତା କରିପାରେ କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ନେଇ ନୁହେଁ। ଜୟରାମ କହିଛନ୍ତି କପିଲ ସିବଲ ଦଳକୁ ନେଇ ଅନେକ ସମ୍ମାନଜନକ ମନୋଭାବ ପ୍ରଦର୍ଶନ କରିଛନ୍ତି।