ଆଇସିସିରେ ଜୟ ଶାହାଙ୍କୁ ମିଳିଲା ଗୁରୁ ଦାୟିତ୍ବ: ଆର୍ଥିକ ଓ ବାଣିଜ୍ୟିକ ବିଭାଗର ହେଲେ ମୁଖ୍ୟ

ହାଇଦ୍ରାବାଦ : ଆଇସିସିରେ ଜୟ ଶାହାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଆର୍ଥିକ ଓ ବାଣିଜ୍ୟକ ବ୍ୟାପାର ବିଭାଗର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ବିସିସିଆଇ ସମ୍ପାଦକ ।

ICCର F&CA ବିଭାଗର ଅଧ୍ୟକ୍ଷତା, ସର୍ବଦା ଆଇସିସି ବୋର୍ଡର ସଦସ୍ୟ ଦ୍ବାରା କରାଯାଇଥାଏ । ଆଇସିସିର ଏକ ସୂତ୍ର ନିଜ ନାମ ଗୋପନ ରଖିବାକୁ କହି ଏକ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି, “ଆଇସିସିର ପ୍ରତ୍ୟେକ ସଦସ୍ୟ ଆର୍ଥିକ ଓ ବାଣିଜ୍ୟକ ବ୍ୟାପାର ବିଭାଗର ( F&CA ) ପ୍ରମୁଖ ଭାବରେ ଜୟ ଶାହାଙ୍କୁ ଚୟନ କରିଛନ୍ତି । ଆଇସିସିରେ ଜୟ ଶାହାଙ୍କୁ ଚୟନ କରାଯିବା ପରେ ଏହା ସ୍ପଷ୍ଟ ହେଉଛି କି ଶାହା ଆଇସିସି ବୋର୍ଡରେ BCCI ତରଫରୁ ପ୍ରତିନିଧିତ୍ବ କରିବେ । ଭାରତ ହେଉଛି ଗ୍ଲୋବାଲ କ୍ରିକେଟର ବ୍ୟବସାୟିକ କେନ୍ଦ୍ର ଏବଂ ୭୦ ପ୍ରତିଶତରୁ ଅଧିକ ପ୍ରାୟୋଜକ ଏହି କ୍ଷେତ୍ରରୁ ଆସିଥାଏ । ତେଣୁ ଆଇସିସି F&CA ର ଅଧ୍ୟକ୍ଷତା ସର୍ବଦା BCCI କରୁ ବୋଲି ଆଇସିସି ଚାହିଁଥାଏ ।”

ICCର ଆର୍ଥିକ ଓ ବାଣିଜ୍ୟକ ବ୍ୟାପାର ବିଭାଗ ହିଁ ଆଇସିସିର ବାର୍ଷିକ ବଜେଟ୍ ଉପରେ ନିର୍ଣ୍ଣୟ ନେଇଥାଏ । ଏହା ସହିତ ଏହି ବିଭାଗ ରାଜସ୍ବ ଭାଗିଦାରୀ, ପ୍ରାୟୋଜକ ଆଦିରେ ଡିଲ୍ ନିର୍ଦ୍ଧାରିତ କରିଥାଏ । ଜୟ ଶାହା ଆଇସିସି ବୋର୍ଡର ବାର୍ଷିକ ବୈଠକ ପାଇଁ ଆଗାମୀ ଦିନରେ ମେଲବର୍ଣ୍ଣ ଗସ୍ତ କରିବେ । ସେହିପରି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବ ବର୍ଷ ପର୍ଯ୍ୟନ୍ତ ଆଇସିସିର F&CA ବିଭାଗର ସଦସ୍ୟ ରହିଥିଲେ ।

ସେପଟେ ଗ୍ରେଗ ବାର୍କଲଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ଆଇସିସିର ଅଧ୍ୟକ୍ଷ ଭାବରେ ଚୟନ କରାଯାଇଛି । ଆଇସିସି ଅଧ୍ୟକ୍ଷ ପଦ ଦୌଡରେ ଜିମ୍ବାୱେର ତେଭେଙ୍ଗ୍ୱା ରହିଥଲେ । ହେଲେ ସେ ଏହି ଦୌଡରୁ ବାହାରିଯାଇଥିଲେ । ଏହା ପରେ ଗ୍ରେଗ ବାର୍କଲ ଆଇସିସି ଅଧ୍ୟକ୍ଷ ଭାବରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଏନେଇ ବାର୍କଲ କହିଛନ୍ତି, “ଅନ୍ତର୍ଜାତୀୟ କ୍ରିକେଟ ପରିଷଦରେ ପୁନର୍ବାର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ଏହା ଏକ ସମ୍ମାନର କଥା । ଏଥିପାଇଁ ଆଇସିସି ନିର୍ଦ୍ଦେଶକଙ୍କ ସମର୍ଥନକୁ ଧନ୍ୟବଦ ଜ୍ଞାପନ କରୁଛି ।”

Related Posts