ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ, ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେଲା ୭ ଚୁକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତବର୍ଷ ଆମେ ବାଂଲାଦେଶ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରିଛୁ । ଏହି ଅବସରରେ ଆମେ ପ୍ରଥମ ମିତ୍ରତା ଦିବସ ମଧ୍ୟ ପାଳନ କରିଛୁ । ଭାରତ-ବାଂଲାଦେଶ ସମ୍ପର୍କ ଆଗାମୀ ଦିନରେ ନୂଆ ସଫଳତା ହାସଲ କରିବ । ଆଜିର ଦିନରେ ବାଂଲାଦେଶର ବିକାଶରେ ଭାରତର ସବୁଠାରୁ ବଡ ହାତ ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ନିରନ୍ତର ଭାବେ ସୁସମ୍ପର୍କ ରହିଛି । ସେହିଭଳି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ବଢିବାରେ ଲାଗିଛି । ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ବିଦ୍ୟୁତ ପରିଚଳନା ପାଇଁ ମଧ୍ୟ କଥାବାର୍ତ୍ତା ଜାରିରହିଛି । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ୟାକୁ ରୋକିବା ପାଇଁ ଆମର ସହଯୋଗ ଜାରିରହିଛି । ଏହି ବୈଠକରେ ଆତଙ୍କବାଦ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।

ସେହିଭଳି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏହି ବୈଠକକୁ ନେଇ କହିଛନ୍ତି ଯେ, ଭାରତବାସୀଙ୍କୁ ମୋର ଅନେକ ଶୁଭେଚ୍ଛା । ଭାରତରେ ସ୍ୱାଧୀନତାର ଅମୃତମହୋତ୍ସବ ପାଳନର ସଫଳ ସମାପନ ପାଇଁ ସମସ୍ତଙ୍କୁ ମୁଁ ବଧେଇ ଜଣାଉଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ଚର୍ଚ୍ଚା ଆଲୋଚନା ସଫଳ ହୋଇଛି । ଏହି ଆଲୋଚନାର ଲାଭ ଆମ ଉଭୟ ଦେଶକୁ ମିଳିବ । ଆଗାମୀ ୨୫ ବର୍ଷରେ ଭାରତ ଏବଂ ବାଂଲାଦେଶ ସଫଳତାର ଶୀର୍ଷକୁ ଛୁଇଁବେ ବୋଲି ସେ କହିଛନ୍ତି।

Related Posts