ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): କଟକ ମହାନଦୀବିହାର ଅଞ୍ଚଳରେ ରହୁଥିବା ଜଣେ ବିଲଡରଙ୍କ ଘରୁ ବଡଧରଣର ଡକାୟତି ହୋଇଛି । ଶୁକ୍ରବାର ସକାଳ ୬ଟାରେ ବିଲଡର୍ ଦିପ୍ତୀରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ହୋଇଛି। କିଛି ଅଜଣା ବ୍ୟକ୍ତି ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରି ୧୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଓ ୩୦ ଭରିରୁ ଅଧିକ ସୁନାଗହଣା ଲୁଟିନେଇଛନ୍ତି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ବିଲଡର୍ ଦିପ୍ତୀରଞ୍ଜନ ପଟ୍ଟନାୟକ ଗତ ବୁଧବାର ଦିନ ଜମି ବିକ୍ରି କରି ପ୍ରାୟ ୧୮ ଲକ୍ଷ ୫୦ ହଜାର ଟଙ୍କା ଆଣି ଘରେ ରଖିଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳକୁ କିଛି ଅଜଣା ବ୍ୟକ୍ତି ତାଙ୍କ କବାଟ ବାଡ଼େଇବାପରେ ସେ ଖୋଲିଥିଲେ। ଅଜଣା ବ୍ୟକ୍ତିମାନେ ଅତର୍କିତ ଭାବେ ଲୁହା ରଡରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କ ପତ୍ନୀ ଶୁଭଶ୍ରୀ ପଟ୍ଟନାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହା ପରେ ଦିପ୍ତୀରଞ୍ଜନଙ୍କ ଦୁଇ ପୁଅଙ୍କ ହାତ ବାନ୍ଧି ମୁହଁରେ ସେଲୋଟେପ୍ ମାରି ୧୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଓ ସୁନାଗହଣା ଲୁଟିନେଇ ସେଠାରୁ ଚମ୍ପଟ ମାରିଥିଲେ। ପରେ ପଡୋଶୀ ପହଞ୍ଚି ଦିପ୍ତୀରଞ୍ଜନଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ଓ ମହାନଦୀ ବିହାର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିଟ୍ ଟିମ୍ ଛାନଭିନ୍ ମଧ୍ୟ କରୁଛି।
