ଖାରଜ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ

ନୂଆଦିଲ୍ଲୀ: ଖାରଜ ହେଲା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବେଳେ, ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ୍ ଆବେଦନ କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜୈନଙ୍କ ଜାମିନ ଆବେଦନ ବ୍ୟତୀତ ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ବୈଭବ ଜୈନ ଏବଂ ଅଙ୍କୁଷ ଜୈନଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ମେ’ ୩୦ରେ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସିବିଆଇର ଏତଲା ଆଧାରରେ ଇଡି ଜୈନ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ, କିଛି ଦିନ ତଳେ ଆମ୍ ଆଦମୀ ପାର୍ଟି ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବିଶେଷ ସୁବିଧା ଯୋଗାଇବାରେ ସମ୍ପୃକ୍ତ ଥିବାରୁ ତିହାର ଜେଲର ଜଣେ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ଜେଲ ପ୍ରଶାସନର ସହଯୋଗରେ ସତ୍ୟେନ୍ଦ୍ର ଜୈନଙ୍କୁ ଅତିରିକ୍ତ ସୁବିଧା ମିଳୁଥିବା ଅଭିଯୋଗ କରି ଇଡି କୋର୍ଟରେ ଏକ ଆବେଦନ କରିଥିଲେ। ସତ୍ୟେନ୍ଦ୍ର ଜୈନଙ୍କ ମସାଜ କରାଯାଉଥିବା ଭିଡିଓ ମଧ୍ୟ କୋର୍ଟକୁ ଦେଇଥିଲା ଇଡି। ଏହା ପରେ ତିହାର ଜେଲ ନମ୍ବର ୭ର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବା ସହ ଜେଲ ଅଧୀକ୍ଷକ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେହି କମ୍ପାନିରୁ ସେ ୪.୮୧ କୋଟି ଟଙ୍କା ନେଇଥିଲେ। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ପରେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ।

Related Posts