ବାଲେଶ୍ବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଙ୍ଗଳବାର ବାଲେଶ୍ବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ କେହି ଜଣେ ବ୍ୟକ୍ତି ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଣଙ୍କୁ ପୋଲିସ ଅଟକ ରଖିଛି। ଶେଷ ଖବର ସୁଦ୍ଧା ପୋଲିସ ସଂପୃକ୍ତ ବ୍ୟକ୍ତିକୁ ପଚରାଉଚରା କରୁଛି। ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ସକାଳ ପ୍ରାୟ ୮ଟା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଏକ ଫୋନ୍ କଲ୍ ଆସିଥିଲା। ଏହି ଫୋନ୍ କଲ୍ ରେ କୁହା ଯାଇଥିଲା ଯେ ତିନିଜଣ ବ୍ୟକ୍ତି ତାଙ୍କୁ ମାରିବାକୁ ଯୋଗାଯୋଗ କରିଛନ୍ତି। ଯେଉଁମାନେ ହତ୍ୟା କରିବାକୁ ଯୋଗାଯୋଗ କରିଛନ୍ତି ସେମାନଙ୍କୁ ସେ ଅଟକ ରଖିଥିବା ବିଧାୟକଙ୍କୁ କହିଥିଲେ। ଏହାପରେ ଦୁର୍ବୃତ୍ତ ଜଣଙ୍କ ବିଧାୟକଙ୍କୁ କହିଥିଲେ ତାଙ୍କ କାର ପାଇଁ ପେଟ୍ରୋଲ ପକାଇବାକୁ ପଇସା ଦେଲେ ସେ କାର ଯୋଗେ ହତ୍ୟା କରିବାକୁ ତିନି ଷଡ଼ଯନ୍ତ୍ରକାରୀଙ୍କୁ ତାଙ୍କ ନିକଟକୁ ପଠାଇ ପାରିବେ। ଆଉ ଦୁର୍ବୃତ୍ତ ଜଣଙ୍କ ବିଧାୟକଙ୍କୁ କାରର ଫଟୋ ମଧ୍ୟ ପଠାଇଥିଲେ।

ଏହାପରେ ବିଧାୟକ ନିତ୍ଯାନନ୍ଦ ସାହୁ ବାଲେଶ୍ବର ଏସପିଙ୍କୁ ଘଟଣା ବାବଦରେ ଅବଗତ କରାଇଥିଲେ ଓ ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ସଂପୃକ୍ତ ନମ୍ବରକୁ ବିଧାୟକ ଏସପିଙ୍କୁ ଦେଇଥିଲେ। ଏହାପରେ ବାଲେଶ୍ବର ପୋଲିସ ନମ୍ବର ଟ୍ରାକ କରି ଜାଣିବାକୁ ପାଇଥିବା ଧମକ ଦେଇଥିବା ବ୍ୟକ୍ତି ଯାଜପୁର ଠିକଣାରେ ରହିଛି। ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ପୋଲିସ ଉଠାଇ ଆଣିଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। ଦୁର୍ବୃତ୍ତଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

Related Posts