ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ, ୧୧ ଗିରଫ

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ):ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ବାଲିମାଫିଆ ସଙ୍ଘବଧ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଏବେ ବାଲେଶ୍ୱରର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ତାଙ୍କ ଡ୍ରାଇଭରଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି।

ସୂଚନା ଅନୂସାରେ, ବାଲେଶ୍ୱର ଉପକଣ୍ଠ ଫୁଲାଡି ନିକଟରେ ବାଲି ମାଫିଆମାନେ ବେଆଇନ ଭାବେ ବୁଢ଼ାବଳଙ୍ଗ ନଦୀରୁ ବାଲି ଉତ୍ତୋଳନ କରି ଆସୁଥିଲେ। ଏନେଇ ଅଭିଯୋଗ ପରେ ଉପଜିଲ୍ଲାପାଳ ଗତକାଲି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ। ଏକ୍ସସାଇଜ୍ ଟିମ୍‌ ଓ ପୁଲିସ ଟିମ୍‌ ଉପସ୍ଥିତିରେ ବେଆଇନ ଚାଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍‌ ବାଲିକୁ ଜବତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ଏହି ବାଲିର ଜଗାରଖା ଦାୟିତ୍ୱ ଦିଆଯାଇଥିଲା। ସେପଟେ ବାଲି ଚୋରା ଚୋଲାଣ ନିମନ୍ତେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିଲା। ଏହି ଜିନିଷକୁ ପରେ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ବାଲି ମାଫିଆମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍‌ ଉପରେ ପଥର ମାଡ଼ କରିଥିଲେ। ସେମାନଙ୍କ ଆକ୍ରମଣରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲଙ୍କ ସମେତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସେପଟେ ଗତକାଲି ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ପରେ ତତ୍ପର ହୋଇ ଉଠିଛି ପୁଲିସ୍‌ । ଏପର୍ଯ୍ୟନ୍ତ ସମୁଦାୟ ୧୧ ଅଭିଯୁକ୍ତଙ୍କୁ ବାନ୍ଧି ସାରିଲାଣି। ଗତକାଲି ରାତିରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସକାଳେ ଆଉ ୯ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ସମୁଦାୟ ୧୧ ଜଣ ଗିରଫ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ସାମିଲ ଅଛନ୍ତି।

Related Posts