ରେଳ ବଜେଟ୍; ଓଡ଼ିଶା ମାଗିଥିଲା ୮୪୦୦ କୋଟି, ମିଳିଲା ୧୦ହାଜର ୧୨ କୋଟି

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ବାବଦରେ ମୋଟ ୧୦,୦୧୨କୋଟି ଟଙ୍କା ମିଳିଛି। ତେବେ ପୂର୍ବବର୍ଷ ଅର୍ଥାତ୍ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କାର ରେଳ ଅନୁଦାନ ମିଳିଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଓଡ଼ିଶା ପାଇଁ ରେଳ ଅନୁଦାନ ବାବଦରେ ୮୪୦୦କୋଟି ଟଙ୍କା ମାଗିଥିଲେ, କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ମାଗିଥିବା ପରିମାଣଠୁ ପ୍ରାୟ ୧୬୧୨କୋଟି ଟଙ୍କା ଅଧିକ ଆବଂଟନ କରିଛନ୍ତି ।

ଓଡ଼ିଶାକୁ କେନ୍ଦ୍ରୀୟ ବଜେଟରେ ୨୦୨୩-୨୪ରେ ମିଳିଥିବା ରେଳ ଅନୁଦାନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ପୁରୀ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ବିମାନବନ୍ଦରରରୁ ଭକ୍ତମାନେ ବ୍ୟାଟେରୀ ଚାଳିତ ଗାଡ଼ିରେ ଲିଙ୍ଗରାଜ ରୋଡ୍ ଷ୍ଟେସନ ଆସି ସେଠାରୁ ଟ୍ରେନରେ ସିଧାସଳଖ ପୁରୀ ଯାଇପାରିବେ। ଏଥିପାଇଁ ଲିଙ୍ଗରାଜ ରୋଡ୍ ଷ୍ଟେସନର ଆଧୁନୀକିକରଣ କାର୍ଯ୍ୟ କରାଯାଉଛି। ସେହିଭଳି ବନ୍ଦେ ଭାରତ ଟ୍ରେନ୍ ଭଳି ବନ୍ଦେ ଭାରତ ମେଟ୍ରୋ ୩୫-୫୦ କିମି ଥିବା ଷ୍ଟେସନ ଭିତରେ ଚାଲିବ। ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଲିଙ୍ଗରାଜରୋଡ୍-ପୁରୀ ଭିତରେ ଚାଲିବା ନେଇ ଯୋଜନା ହୋଇଛି।

ସେହିଭଳି ଏହି ବଜେଟ୍ ରେ ରାଜ୍ୟରେ ୨୮୦କିମି ନୂଆ ରେଳଲାଇନ ନିର୍ମାଣ ଓ ୫୭ଟି ଷ୍ଟେସନର ନବୀକରଣ ଲାଗି ବ୍ୟୟବରାଦ କରାଯାଇଛି।ରାଜ୍ୟରେ ନୂଆ ରେଳଲାଇନ ପ୍ରକଳ୍ପ ଲାଗି ଚଳିତବର୍ଷ ୨୫୬୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରେଳମାର୍ଗ ଦୋହରିକରଣ ପାଇଁ ୩୮୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେପଟେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରୋଡ୍ ରେଳମାର୍ଗ ନିର୍ମାଣ ଶେଷ ପାଇଁ ୧୬୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ରାଉରକେଲା-ଝାରସୁଗୁଡ଼ା ପର୍ଯ୍ୟନ୍ତ ୧୦୧ କିମି ତୃତୀୟ ଲାଇନ ନିର୍ମାଣ ପାଇଁ ୧୨୬କୋଟି ଟଙ୍କା, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ ନିର୍ମାଣ ପାଇଁ ୩୯କୋଟି, ଭଦ୍ରକ-ଖଡ଼ଗପୁର ପାଇଁ ୩୭କୋଟି ନାରାୟଣଗଡ଼-ଭଦ୍ରକ ୧୫୫କିମି ତୃତୀୟ ଲାଇନ୍ ପାଇଁ ୫୦୫କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ରେଳବାଇ ଅନୁଦାନରେ ଓଡ଼ିଶା ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରୁଥିଲେ ମଧ୍ୟ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରଠୁ ଓଡ଼ିଶାକୁ ରେଳବାଇ ଅନୁଦାନ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

Related Posts