ବାରବାଟୀରେ ଟିକେଟ କେଳେଙ୍କାରୀ : ଭିଭିଆଇପିଙ୍କ ପାକେଟରେ ୩୨ ହଜାରରୁ ଅଧିକ ଟିକେଟ ଏବଂ ପାସ୍, ୧୨ ହଜାର ଟିକେଟ ପାଇଁ ରାତି ଅନିଦ୍ରା ସାଧାରଣ ଲୋକ

କଟକ: ଆଉ ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ। ତେବେ ମ୍ୟାଚ ପୂର୍ବରୁ ପ୍ରସ୍ତୁତି ଜୋର ଧରିଛି | ସୁରକ୍ଷା ବ୍ୟାବସ୍ତାଠୁ ଆରମ୍ଭ କରି ଟିକେଟ ବିକ୍ରି ପର୍ଯ୍ୟନ୍ତ ସେ ସବୁ କୁ ନେଇ ଚାଲିଛି ପ୍ରସ୍ତୁତି |

ଗତ ଦୁଇ ବର୍ଷ ପରେ ପୁଣି ଠାରେ ବାରବାଟୀ ଷ୍ଟାଡିୟମ ରେ ମ୍ୟାଚ ଖେଳହେବାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି | ଅନ୍ଲାଇନେ ଓ ଅଫଫ୍ଲାଇନ ରେ ଚାଲିଛି ଟିକେଟ ବିକ୍ରି |

ଗୁରୁବାରରୁ ଅଫଫ୍ଲିନେ ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ, ୯ ତାରିଖ ରାତିରୁ ଦେଖିବାକୁ ମିଳିଥିଲା ଭିଡ | ଦିନ ୧୦ଟା ବେଳକୁ ଟିକେଟ୍ ନେବା ପାଇଁ ପାଳି ପଡ଼ିଲା ବେଳକୁ ଧକ୍କା ଖାଇ ତଳେ ପଡ଼ିଲେ; ଟିକେଟ୍ ନ ପାଇ ନିରାଶ ହୋଇ ଫେରିଲେ। ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ବେଳର ଏଭଳି ସ୍ଥିତି ଆଉ ଠେଲାପେଲା, ମାଡ଼ପିଟ୍, ଧସ୍ତାଧସ୍ତି, ପୁଲିସ ଲାଠି ଧରି ଗୋଡ଼ାଇବାର ଦୃଶ୍ୟ ବ୍ୟବସ୍ଥାର ଚରମ ବିଭ୍ରାଟକୁ ଧରା ପକାଇ ଦେଇଛି। ବାରବାଟୀର ଦର୍ଶକ କ୍ଷମତା ୪୪ ହଜାର ୨୩୪ ବୋଲି କୁହାଯାଉଥିବା ବେଳେ ଟିକେଟ୍ କାଉଣ୍ଟରରେ ମାତ୍ର ୧୨ ହଜାର ଟିକେଟ୍ ଉପଲବ୍ଧ ହେବା ଘଟଣା ଏଭଳି ବିଭ୍ରାଟକୁ ଡାକି ଆଣିଛି। ୩୨ ହଜାରରୁ ଅଧିକ ଟିକେଟ ଏବଂ ପାସ୍ ଚାଲି ଯାଇଛି ଭିଭିଆଇପି, ଭିଆଇପି ଏବଂ ପ୍ରଭାବ ଆଉ ପତିଆରା ରଖୁଥିବା ଲୋକଙ୍କ ହାତକୁ। ୧୨ ହଜାର ଟିକେଟ ପାଇଁ ସାଧାରଣ ଲୋକ ରାତି ଅନିଦ୍ରା ହୋଇଛନ୍ତି ଏବଂ ନିଜ ଭିତରେ ମାଡ଼ପିଟ୍ ହେବା ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। କ୍ରିକେଟ୍ ପାଇଁ ପାଗଳ ସାଧାରଣ ଲୋକଙ୍କ ପାଇଁ ଯଥା ସମ୍ଭବ ଅଧିକ ଟିକେଟ୍ ଉପଲବ୍ଧ ନ କରି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ଏଭଳି ଭିଆଇପି ତୁଷ୍ଟୀକରଣ ଯୋଜନା କାହିଁକି ବୋଲି ପ୍ରଶ୍ନ ଉଠିଲାଣି। ଅନ୍ୟପଟେ ଆଜିର ଟିକେଟ୍ ବିକ୍ରି ବ୍ୟବସ୍ଥାରେ ପୁଲିସର ଭୂମିକା ଉପରେ ମଧ୍ୟ ବିରାଟ ପ୍ରଶ୍ନଚିହ୍ନ ଲାଗିଛି। କେଉଁଠି ସାଦା ପୋଷାକରେ ପୁଲିସ କାଉଣ୍ଟର ଆଗରେ ରହି ଟିକେଟ୍ ଆଣିଥିବା ବେଳେ କେଉଁଠି ‌ଦଲାଲ୍‌ଙ୍କୁ ସୁରକ୍ଷା ଦେଇ ଟିକେଟ୍ ଆଣିବାର ବ୍ୟବସ୍ଥା କରିଛନ୍ତି। ଅଧିକ କାଉଣ୍ଟର ବ୍ୟବସ୍ଥା ସତ୍ତ୍ବେ ଭିଡ଼କୁ ବ୍ୟବସ୍ଥିତ ଢଙ୍ଗରେ ନିୟନ୍ତ୍ରଣ ନ କରି ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛନ୍ତି। ଧର୍ମକୁ ଆଖିଠାର ଭଳି ପୁଲିସର ବ୍ୟବସ୍ଥା ଆଜି ସୃଷ୍ଟି ହୋଇଥିବା ବିଭ୍ରାଟର ଅନ୍ୟତମ ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି।

ଆସନ୍ତା ୧୨ ତାରିଖରେ ହେବାକୁ ଯାଉଥିବା ମ୍ୟାଚ୍ ପାଇଁ ବାରବାଟୀ ‌ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାର ୨୩୪ ବୋଲି ଦର୍ଶାଯାଉଛି। ସେଥିରୁ ୧୫ ହଜାର ୮୦ ହେଉଛି ପାସ୍ ଏବଂ ୨୯ ହଜାର ୧୫୪ ଟିକେଟ୍ ବିକ୍ରି ପାଇଁ ଉଦ୍ଦିଷ୍ଟ ବୋଲି ଓସିଏ ପକ୍ଷରୁ ଦର୍ଶାଯାଇଛି। କିନ୍ତୁ ଏହି ୨୯ ହଜାର ୧୫୪ ଟିକେଟ ସାଧାରଣ ଲୋକଙ୍କୁ ସହଜରେ ମିଳିବାର ବ୍ୟବସ୍ଥା ନାହିଁ। ସେଥିରୁ ୮ ହଜାର ଟିକେଟ୍ ଓସିଏର ଅନୁବନ୍ଧିତ ଜିଲ୍ଲା ସଂଗଠନ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ପାଇଁ ଉଦ୍ଦିଷ୍ଟ। ଭୁବନେଶ୍ବରକୁ ମିଶାଇ ୩୧ଟି ଜିଲ୍ଲା ୟୁନିଟକୁ ୟୁନିଟ୍ ପିଛା ୧୧୩ଟି ବିଭିନ୍ନ ଗ୍ୟାଲେରି‌ର ଟିକେଟ, ୨୩ଟି ପାସ୍ ଦିଆଯାଇଛି। ୨୦ଟି କ୍ଲବ୍‌କୁ କ୍ଲବ୍‌ ପିଛା ୯୩ଟି ଟିକେଟ୍ ଓ ୨୧ଟି ପାସ୍ ଦିଆଯାଇଛି। ୪ଟି କଲେଜ୍, ୧୦ଟି ସ୍କୁଲ୍, ରେଭେନ୍ସା ଓ କିଟ୍ ବିଶ୍ବବିଦ୍ୟାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ, ରାଉରକେଲ୍ ଷ୍ଟିଲ୍ ପ୍ଲାଣ୍ଟ, ଇକୋର୍ସାଙ୍କୁ ଏହି ଅନୁପାତରେ ଟିକେଟ୍ ଓ ପାସ୍ ଦିଆଯାଇଥିବା ବେଳେ ଓସିଏର ଖେଳାଳି ସଦସ୍ୟ ଥିବା ଶିବସୁନ୍ଦର ଦାସ, ସଂଜୟ ରାଉଳ, ଦେବାଶିଷ ମହାନ୍ତି ପ୍ରମୁଖ ସହଜରେ ଟିକେଟ ଓ ପାସ୍ ପାଇବା ତାଲିକାରେ ରହିଛନ୍ତି। ଏହି ୮ ହଜାର ଟିକେଟକୁ ବାଦ୍ ଦେଲେ ବାକି ରହୁଥିବା ୨୧ ହଜାର ୧୫୪ ଟିକେଟରୁ ୫ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହୋଇଛି। ବାକି ୧୬ ହଜାର ୧୫୪ରୁ ୪ ହଜାରରୁ ଅଧିକ ଟିକେଟ୍ ଓସିଏ ସହ ପୂର୍ବରୁ ଯୋଗାଯୋଗ କରି ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବ‌ିଶେଷ ନେଇ ଯାଇଛନ୍ତି। ଫଳରେ ମାତ୍ର ୧୨ ହଜାର ଟିକେଟ୍ ପାଇଁ ଆଜି ସାଧାରଣ ଲୋକ ନିଜ ଭିତରେ ବାଡ଼ାବାଡି ହୋଇଛନ୍ତି।

ଓସିଏ ଏକ ଘରୋଇ ସଂସ୍ଥା। ଲାଭକ୍ଷତି ହିସାବ ତାର ନିଜସ୍ବ। କିନ୍ତୁ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନରେ ପୁଲିସ, ପ୍ରଶାସନ ସାମିଲ ହେବାକୁ ବାଧ୍ୟ। ଯଦିଓ ନିଜକୁ ଘରୋଇ ସଂସ୍ଥା ଏବଂ ଟିକେଟ କିଣାବିକା ନିଷ୍ପତ୍ତିକୁ ନେଇ କାହାର କିଛି କହିବାର ନାହିଁ ବୋଲି ଓସିଏ ପକ୍ଷରୁ ସିଧାସିଧା କହି ଦିଆଯାଉଛି କିନ୍ତୁ ଏ ପ୍ରକାର ବିଭ୍ରାଟ ଆଉ ଅବ୍ୟବସ୍ଥାର ଉତ୍ତରଦାୟିତ୍ବ ସିଧାସଳଖ ସରକାରଙ୍କ ଉପରକୁ ଚାଲି ଆସୁଛି। ତେଣୁ ଏ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ଲାଠି ମାଡ଼ ଦେଇ ‌ଓସିଏର ଭିଆଇପି ସନ୍ତୁଷ୍ଟୀକରଣ ଯୋଜନାରେ ପୁଲିସ, ପ୍ରଶାସନ କାହିଁକି ପକ୍ଷଭୁକ୍ତ ହେଉଛନ୍ତି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ବାରବାଟୀର ଟିକେଟ୍ ବିଭ୍ରାଟରେ ଆଜି ନକଲି ଟିକେଟ୍ କାରବାର, ଟିକେଟ୍ ବ୍ଲାକ୍ ପାଇଁ ସୁଚିନ୍ତିତ ଯୋଜନା ଭଳି ଅନେକ ଅଭିଯୋଗ ଯୋଡ଼ି ହେଇ ଯାଇଛି। ଅନଲାଇନରେ ଟିକେଟ କିଣିଥିବା ଲୋକଙ୍କୁ ବି ଷ୍ଟାଡିୟମକୁ ଡାକି ଟିକେଟ ଦେବାରେ ଚରମ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।

Related Posts