ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିଥିବା ବିଜେପିର ନବ ନିର୍ବାଚିତ ବିଧାୟକମାନଙ୍କର ଆଜି ବୈଠକ ହେବାକୁ ଯାଉଛି । ଯେଉଁଠି ବିଧାୟକ ଦଳ ଆନୁଷ୍ଠାନିକ ଭାବରେ ନିଜର ନେତା ବାଛିବାକୁ ଯାଉଛନ୍ତି । ଏହା ମଧ୍ୟରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର‌୍ୟ୍ୟ ଜାରି ରଖିଥିବାବେଳେ ଦଳ ଉପମୁଖ୍ୟମନ୍ତ୍ରୀଙ୍କ ପଦବୀ ପାଇଁ ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ । ସେପଟେ ଉପମୁଖ୍ୟମନ୍ତ୍ରୀ ପାଇଁ ବିଧାନସଭା ନିର୍ବାଚନରେ ହାରିଥିବା ତଥା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଦୀନେଶ ଶର୍ମା, ବେବି ରାନୀ ମୌର୍ଯ୍ୟ, ବ୍ରିଜେଶ ପୃଥକ୍, ସ୍ୱତନ୍ତ୍ର ଦେବ ସିଂ ଏବଂ ଏ.କେ ଶର୍ମାଙ୍କ ଭଳି ଅନେକ ନେତାଙ୍କ ନାମ ସାମ୍ନାକୁ ଆସିଛି । ତେବେ ସୂତ୍ରରୁ ପ୍ରକାଶ ଯେ ଉପମୁଖ୍ୟମନ୍ତ୍ରୀ ଭାବରେ ବିଜେପି ମୌର୍ଯ୍ୟଙ୍କୁ ବଜାୟ ରଖିପାରେ। ଦଳର ଅନେକ ଲୋକ ବିଶ୍ୱାସ କରନ୍ତି ଯେ ବିଜେପି ଶ୍ରୀକାନ୍ତ ଶର୍ମାଙ୍କୁ ପୁନର୍ବାର ମନ୍ତ୍ରୀ କରିବ ।

ଯେତେବେଳେ କି ନୂତନ ଭାବେ ନିର୍ବାଚିତ ବିଧାୟକ ତଥା ପୂର୍ବତନ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଅଫିସର ରାଜେଶ୍ୱର ସିଂଙ୍କୁ ମଧ୍ୟ ସୁଯୋଗ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଶପଥ ଗ୍ରହଣ ପୂର୍ବରୁ ତାଙ୍କ ଭଉଣୀ ଶଶି ସିଂ ଭାବୁକ ହୋଇ ଆବେଦନ କରିଛନ୍ତି ଯେ ସେ ଘରକୁ ଆସି ତାଙ୍କ ମା’ଙ୍କୁ ସାକ୍ଷାତ କରନ୍ତୁ । ସେପଟେ ଯୋଗୀଙ୍କ ଭଉଣୀ ଉତ୍ତରପ୍ରଦେଶରେ ଏକ ଛୋଟ ଚା ଷ୍ଟଲ୍ ଚଲାନ୍ତି । ଦୀର୍ଘ ୩୦ ବର୍ଷ ଧରି ଯୋଗୀ ତାଙ୍କ ଭଉଣୀଙ୍କ ଠାରୁ ରାକ୍ଷୀ ବାନ୍ଧି ନାହାନ୍ତି । ଏସବୁ ମଧ୍ୟରେ ଭଉଣୀଙ୍କ ନିବେଦନ କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି ।