ଉପନିର୍ବାଚନ ପାଇଁ ରାଲି କରିବେ ମୁଖ୍ୟମନ୍ତ୍ରୀ; ଜିଲ୍ଲାର ସମସ୍ତ ସ୍କୁଲରେ ଘୋଷଣା ହେଲା ଛୁଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ରାଲି କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଜିଲ୍ଲାର ସବୁ ସ୍କୁଲ ବନ୍ଦ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ । ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାପରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି । ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଚିଠି ଲେଖି ପ୍ରତି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ରାଲି ଯୋଗୁଁ ରାସ୍ତା ଭିଡ ରହିବ । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟା ଭୋଗିବେ । ଏଥିପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଗୁଡିକୁ ଆଜି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପାରମ୍ପରିକ ଆସନ ହେଉଛି ମୈନପୁରୀ। ତାଙ୍କ ଦେହାନ୍ତ ପରେ ଏହି ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ପକ୍ଷରୁ ମୁଲାୟମ ସିଂଙ୍କ ବୋହୁ ତଥା ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ସମାଜବାଦୀ ପାର୍ଟିର ଏହି ପାରମ୍ପରିକ ଆସନକୁ ବିଜେପି ଛଡେଇ ଆଣିବାକୁ ଜୋରଦାର ପ୍ରୟାସ ଜାରି ରଖିଛି।

Related Posts