ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୀଟ ପରୀକ୍ଷା ପରେ ଏବେ ସିବିଏସ୍ଇ ରେଜଲ୍ଟକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଶ୍ରୀ ପ୍ରଧାନ କହିଛନ୍ତି, “ମୁଁ ସବୁ ବିବାଦର ଉତ୍ତର ଦାୟିତ୍ୱ ଗ୍ରହଣ କରୁଛି। ଏହାକୁ ଠିକ କରାଯିବ। ଗୋଟିଏ ସମାଧାନର ରାସ୍ତା ବାହାରିବ। ଆମେ ସମସ୍ତେ ଏହି କାମରେ ଲାଗି ପଡ଼ିଛୁ। ଅସ୍ପଷ୍ଟ ସ୍କାନ କପି, ମୂଲ୍ୟାଙ୍କନ ହୋଇ ନଥିବା ଉତ୍ତର, ପୋର୍ଟାଲ କ୍ରାଶ, ଦେୟ ସମୟରେ ବିଭ୍ରାଟ ଓ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଦେଖାଯାଉଥିବା ଦ୍ୱନ୍ଦ୍ୱ ସମ୍ପର୍କରେ ସିବିଏସ୍ଇ ଶିକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ଦେଖା ଯାଇଥିବା ବେଳେ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି।
ଏହା ସହ ଦିଲ୍ଲୀରେ ସିବିଏସ୍ଇ ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ଶ୍ରୀ ପ୍ରଧାନ ବୋର୍ଡର ନୂଆ ଡିଜିଟାଲ ମୂଲ୍ୟାଙ୍କନ ମଡେଲର ଓକିଲାତି କରିଛନ୍ତି। ସମାନ ସମୟରେ ଶିକ୍ଷାର୍ଥୀମାନେ ସାମ୍ନା କରୁଥିବା ସମସ୍ୟାକୁ ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ପରୀକ୍ଷା ଦେଇଥିବା ୧୭ ଲକ୍ଷ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଆମେ ୯୮ ଲକ୍ଷ କପିର ଉତ୍ତର ପୁସ୍ତିକା ସୁରକ୍ଷିତ ଭାବେ ସଂଗ୍ରହ କରି ରଖିଛୁ। ପ୍ରତି ଉତ୍ତର ପୁସ୍ତିକାରେ ୪୦ ପୃଷ୍ଠା ରହିଛି।
ଏହାର ଅର୍ଥ ମୋଟ ସ୍କାନ ପୃଷ୍ଠାର ସଂଖ୍ୟା ହେଉଛି ୪୦ କୋଟି। ଅନ ସ୍କ୍ରିନ ମାର୍କିଂ ବ୍ୟବସ୍ଥା ବା ଓଏସ୍ଏମ ଗୋଟିଏ ପ୍ରଗତିଶୀଳ ମାଧ୍ୟମ। ଏହାକୁ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଗ୍ରହଣ କରିଛନ୍ତି। ଏହା ଶିକ୍ଷାର୍ଥୀ କୈନ୍ଦ୍ରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ଏହାକୁ ଡିଜାଇନ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଶିକ୍ଷାର୍ଥୀମାନେ ସେମାନଙ୍କ ମାର୍କର ସ୍ୱଚ୍ଛ ସୂଚନା ପାଇ ପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
ସେପଟେ ସିବିଏସ୍ଇ ରେଜଲ୍ଟ ପରେ ସୃଷ୍ଟି ବିବାଦକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସିବିଏସ୍ଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଯଦି ଅନିୟମିତତା ଜଣାପଡ଼ିଛି, ତା’ହେଲେ କାହାକୁ ବି ଛଡ଼ା ଯିବ ନାହିଁ। ମୁଁ ସମସ୍ତଙ୍କୁ ଏକଥା ନିଶ୍ଚିତ କରିବାକୁ ଚାହୁଁଛି। ରାଜନୀତି ପଛରେ ହେବ। ଏବେ ଶିକ୍ଷାର୍ଥୀଙ୍କ ମାନସିକ ଚିନ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।
