କଟକରେ ବର୍ବରକାଣ୍ଡ; ଉଧାର ଟଙ୍କା ନଦେବାରୁ ବାଇକରେ ବାନ୍ଧି ଯୁବକଙ୍କୁ ୨ କିମି ଦୌଡ଼ାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଧାର ଟଙ୍କା ଫେରସ୍ତ ନଦେବାରୁ କଟକ ସହରରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଅମାନୁଷିକ ଭାବେ ଦଣ୍ଡ ଦେଇଛନ୍ତି। ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ୨କ‌ିଲୋମିଟରରୁ ଅଧିକ ଦୂର ଦୌଡ଼ାଇବା ସହ ପ୍ରତିରୋଧ କରିବା​କୁ ଆସୁଥିବା ଲୋକଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି। ସହର ଭିତରେ ମିସନ୍‌ରୋଡ୍‌ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ମଧ୍ୟ ପୁଲିସ ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।ଅପରପକ୍ଷେ, ଏହା ସହରର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ଯୁବକଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରାଯାଇଥିବା କୁହାଯାଉଛି।

ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା। ମିସନ୍‌ରୋଡ୍‌ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୨୪ ବର୍ଷ ବୟସର ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍‌ ପଛରେ ବାନ୍ଧି ଦିଆଯାଇଥିଲା।

ବାଇକ୍‌ରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ। ଯୁବକଜଣକ ବାଇକ୍‌ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ। ଯୁବକଙ୍କୁ ‌ଗାଡ଼ି ପଛରେ ବାନ୍ଧି ଚଣ୍ଡୀଛକରୁ ବାପ୍‌ଟିଷ୍ଟ ଚର୍ଚ୍ଚ ପାଖ ଗଳି ଦେଇ ସୂତାହାଟ ଆଡକୁ ଦୁଇ ଯୁବକ ନେଇଯାଇଥିଲେ। ସୂତାହାଟ ଛକରେ କିଛିଲୋକ ସେମାନଙ୍କୁ ଅଟକାଇ ପଚାରିବାରୁ ଯୁବକଦ୍ବୟ କହିଥିଲେ, ‘ସେ ଗଞ୍ଜେଇ କିଣିବାକୁ ଆମଠାରୁ ୧୦ ହଜାର ଟଙ୍କା ଧାର୍‌ ନେଇଥିଲା। ୨ମାସ ହେବ ଟଙ୍କା ନଦେବାରୁ ଆମେ ତାକୁ ଏମିତି ଦଣ୍ଡ ଦେଉଛୁ ।’ ସ୍ଥାନୀୟ ଲୋକେ ଏହାର ପ୍ରତିରୋଧ କରିଥିଲେ। ମାତ୍ର, ‘ଆମ ଟଙ୍କା ଫେରାଇ ଦିଅ, ଆମେ ତାକୁ ଛାଡି ଦେବୁ, ନହେଲେ ହଟିଯାଅ’ ବୋଲି କହି ଦୁଇ ଯୁବକ ମାରଣାସ୍ତ୍ର ଦେଖାଇଥିଲେ। ଫଳରେ, ଲୋକମାନେ ଭୟଭୀତ ଅବସ୍ଥାରେ ଦୂରେଇ ଯାଇଥିଳେ। ଏହାପରେ, ସମ୍ପୃକ୍ତ ଯୁବକଙ୍କୁ ସେମିତି ଦୌଡ଼ାଇ ଦୌଡ଼ାଇ ଓଡ଼ିଆବଜାର ଆଡ଼କୁ ନେଇଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ‌ଯୁବକଙ୍କୁ ବାନ୍ଧି ନେଉଥିବା ବାଇକ୍‌ର ନମ୍ବର ପ୍ଲେଟ୍‌ ଅଧା ଭାଙ୍ଗିଯାଇଥିବା କିଛି ସ୍ଥାନୀୟ ଲୋକ କହିଛନ୍ତି।ଟଙ୍କା ନଦେବାରୁ ଜଣେ ଯୁବକଙ୍କୁ ଏପରି ଅମାନୁଷିକ ଦଣ୍ଡ ଦେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିବା ସହ ବିଚଳିତ କରିଛି।

Related Posts