ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଶାଗ୍ରସ୍ତ ଥିବା କାରଣରୁ ଜର୍ମାନୀରେ ଲୁଫଥାନ୍ସ ଏୟାର ଲାଇନ୍ସରୁ ଓହ୍ଲାଇ ଦିଆଯିବା ଅଭିଯୋଗର ତଦନ୍ତ ହେବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦ୍ୟିତ ସିନ୍ଧିଆ। ସେ କହିଛନ୍ତି ଯେ, ଏହି ଘଟଣା ଆମ ଦେଶରେ ଘଟି ନାହିଁ ବରଂ ବିଦେଶରେ ଘଟିଛି, ଏଥିପାଇଁ ତଥ୍ୟ ଗୁଡିକର ଛାନଭିନ କରିବାକୁ ପଡିବ ବୋଲି ସେ କହିଛନ୍ତି। ସୋମବାର ଖବର ଆସିଥିଲା ଯେ, ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସିବାକୁ ଥିବା ଲୁଫଥାନ୍ସର ବିମାନର ଉଡାଣ ବିଳମ୍ୱ ହୋଇଥିଲା। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ନିଶାରେ ଥିବା ଯୋଗୁଁ ଏହି ବିଳମ୍ୱ ହୋଇଥିବା ଖବର ଆସିଥିଲା। ଏହା ଉପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ‘ଘଟଣା ଉପରେ ଲୁଫଥାନ୍ସକୁ ଅଧିକ ସୂଚନା ମଗାଯାଇଛି । ତେବେ ଏହା ଉପଲବ୍ଧ କରାଇବା ତାଙ୍କ ଉପରେ ନିର୍ଭର କରୁଛି। ମୋ ନିକଟକୁ ଆସିଥିବା ଅନୁରୋଧ ଆଧାର ଉପରେ ନିଶ୍ଚିତ ରୂପେ ଏହି ମାମଲାର ତଦନ୍ତ କରାଯିବ।’

ଏହି ମାମଲା ଚର୍ଚ୍ଚାକୁ ଆସିବା ପରେ ଲୁଫଥାନ୍ସ ଏୟାରଲାଇନ ନିଜ ଆଡୁ ସ୍ପଷ୍ଟୀକରଣ ଜାରି କରିଥିଲା। କମ୍ପାନି କହିଥିଲା ଯେ, ଅବତରଣ କରିବାକୁ ଥିବା ବିମାନରେ ବିଳମ୍ୱ ଏବଂ ବିମାନ ବଦଳାଇବା ଯୋଗୁଁ ଫ୍ରାଙ୍କଫର୍ଟରୁ ଦିଲ୍ଲୀର ଉଡାଣରେ ବିଳମ୍ୱ ହୋଇଥିଲା।

ଅନ୍ୟପଟେ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଜଣେ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ବିମାନରୁ ଓହ୍ଲାଯିବା କାରଣରୁ ଜର୍ମାନୀ ଏୟରଲାଇନ୍ସର ଉଡାଣରେ ବିଳମ୍ୱ ଘଟିଥିଲା। ଏହାକୁ ନେଇ ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ ଏବଂ ତାଙ୍କର ପତ୍ନୀ ହରସିମରତ କୌର ବାଦଲ ଏବଂ କଂଗ୍ରେସ ନେତା ବାଜୱା ଅଭିଯୋଗ ଆଣି, ବିମାନରୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ବୋଲି କହିଥିଲେ।