ସରକାରୀ କର୍ମଚାରୀଙ୍କୁ ପଞ୍ଜାବ ସରକାରଙ୍କ ଦୀପାବଳୀ ଭେଟି, ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀପାବଳୀ ପୂର୍ବରୁ ପଞ୍ଜାବର ଭଗୱନ୍ତ ମାନ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବ ସରକାର ରାଜ୍ୟରୁ ନୂଆ ପେନସନ ଯୋଜନା ହଟାଇ ପୁରୁଣା ପେନସନ ଯୋଜନା କୁ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନ ଙ୍କ ଘୋଷଣା ମୁତାବକ ରାଜ୍ୟ କର୍ମଚାରୀମାନେ ଏଣିକି ପୁରୁଣା ପେନସନ୍ ଯୋଜନାର ଲାଭ ପାଇବେ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କଥା ଭଗୱନ୍ତ ମାନ୍ ସୂଚନା ଦେଇଛନ୍ତି ।

ପଞ୍ଜାବ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ତେବେ ଦୀର୍ଘଦିନ ହେବ ପଞ୍ଜାବ ରାଜ୍ୟର କର୍ମଚାରୀମାନେ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଆସୁଥିଲେ । ଏବେ ମାନ୍ ସରକାର ଏହାକୁ ପୁରଣ କରିବା ସହ ରାଜ୍ୟ କର୍ମଚାରୀଙ୍କ ଡିଏ ୬ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଛନ୍ତି ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ପଞ୍ଜାବ କ୍ୟାବିନେଟ ବୈଠକରେ ନିଜ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆମ ସରକାର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇଛି ଓ ନିର୍ବାଚନ ବେଳେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୁରୁଣ କରିବାକୁ ଚେଷ୍ଟା ଚଳାଇଛୁ ବୋଲି ଭଗୱନ୍ତ ମାନ୍ କହିଛନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟିର ମୁ୍ଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ଏଭଳି ଘୋଷଣାକୁ ସ୍ୱାଗତ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ନିର୍ବାଚନ ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲୁ କି ପଞ୍ଜାବରେ ଦଳ ସରକାର ଗଠନ କଲେ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ୍ ଲାଗୁ କରାଯିବ । ଏବେ ଆମେ ତାହା ପୁରଣ କରି ଦେଖାଇଛୁ ବୋଲି ସେ କହିଛନ୍ତି।

Related Posts