ବାହାନଗା ଟ୍ରେନ୍ ଦୁର୍ଘଟଣା: ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ମାମଲା ରୁଜୁ କରିଛି। ରେଳ ମନ୍ତ୍ରାଳୟର ଆବେଦନରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି। ଏହି ଘଟଣା ନେଇ ଗତ ୩ ତାରିଖ ଦିନ ବାଲେଶ୍ବର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା। ଦୁର୍ଘଟଣାକୁ ନେଇ ଜିଆରପି ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା। ଏବେ ଜିଆରପି ଠାରୁ ସିବିଆଇ ତଦନ୍ତ ଭାର ନେଇଛି।

ବାହାନଗାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ସୋମବାର ବାଲେଶ୍ବରରେ ପହଞ୍ଚିଛନ୍ତି । ସିବିଆଇ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଲାଗି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଛନ୍ତି। କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ।

ଏହା ପୂର୍ବରୁ ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି ଯେ, ବାହାନଗା ରେଳ ଦୁର୍ଘଟଣାର ସିବିଆଇ ଟିମ ତାଙ୍କ ତଦନ୍ତ ଆରମ୍ଭ କରି ସାରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଥିଲେ। ସେମାନେ ତାଙ୍କ ବାଟରେ ତଦନ୍ତ କରିବେ। ବାହାନଗାରେ ଉଭୟ ଅପ ଓ ଡାଉନ ଲାଇନରେ ଟ୍ରେନ ପାସ କରୁଛି। ସ୍ପେଶାଲ ଟ୍ରେନ ମଧ୍ୟ ଚଲା ହୋଇ ସାରିଲାଣି। ରେଗୁଲାର ଟ୍ରେନ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି। ସମ୍ପୂର୍ଣ୍ଣ ଠିକ ଭାବରେ ଟ୍ରେନ ଚଲାଚଳ ଚାଲିଛି। ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା ଦିଆଯାଇଛି। ରେଳ ବିଭାଗ ପକ୍ଷରୁ ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଆଜି ସକାଳ ୧୦ଟା ସୁଦ୍ଧା ୯୫ଟି ମୃତଦେହ ଚିହ୍ନଟ ହୋଇଛି। ୮୪ ଜଣଙ୍କୁ କ୍ଷତିପୂରଣ ଟଙ୍କା ଦିଆସରିଛି। ଏହି ବାବଦରେ ପାଖାପାଖି ୬କୋଟି ୯୦ ଲକ୍ଷ ଟଙ୍କା ଦିଆ ସରିଲାଣି। ସମସ୍ୟା ଥିଲେ ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରିବାକୁ ସେ କହିଛନ୍ତି।

Related Posts