ବାହାନଗା ଟ୍ରେନ୍ ଦୁର୍ଘଟଣା: ବିଦ୍ୟୁତ ସଂସ୍ପର୍ଶରେ ଆସି ୪୦ ଯାତ୍ରୀଙ୍କ ମୃତ୍ୟୁ!

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ପାଖାପାଖି ୧୦୦୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି ବୋଲି ସରକାରୀ ସୂଚନା ମିଳିଛି । ତେବେ ମୃତକଙ୍କ ମଧ୍ୟରୁ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ରେଳବାଇ ପକ୍ଷରୁ GRP ସବଇନ୍ସପେକ୍ଟର ପପୁ କୁମାର ନାୟକ ଦାୟର କରିଥିବା ଏଫଆଇଆରରେ ଏନେଇ ଉଲ୍ଲେଖ ଥିବା ସୂଚନା ମିଳିଛି ।

ଏତଲା ଅନୁସାରେ ମୃତକଙ୍କ ମଧ୍ୟରେ ୪୦ ଜଣଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା । ଅନେକ ମୃତଦେହ ରେ କୌଣସି ରକ୍ତସ୍ରାବ ର ଚିହ୍ନ ମଧ୍ୟ ନାହିଁ। ତେଣୁ ଏଲଟି ଲାଇନ ସଂସ୍ପର୍ଶରେ ଆସି ସେମାନଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି କୁହାଯାଉଛି । ଟ୍ରେନ ଟ୍ରେନ ମଧ୍ୟରେ ଧକ୍କା ହେବାପରେ ରେଳଧାରଣା ଉପରେ ଥିବା ଏଲଟି ଲାଇନ ତାର ଯାତ୍ରୀଙ୍କ ଉପରେ ଛିଡି ପଡ଼ିବା ଫଳରେ ଏହା ସଂସ୍ପର୍ଶରେ ଆସି ଅନେକ ଯାତ୍ରୀ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

ଏସବୁ ଭିତରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଜି ଦୁର୍ଘଟଣାସ୍ଥଳକୁ ଯିବା ସହ ସିଗନାଲ ରୁମରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛି ସିବିଆଇ ।

Related Posts