ଭୁବନେଶ୍ୱର,୨୨/୯(ସତ୍ୟପାଠ ବ୍ୟୁରୋ): ଭରତପୁର ଥାନାରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତିକରଣ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବନ୍ଦ ଡାକରା ଦେଇଛି ବିଜେଡି। ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।
ଦେବୀ ମିଶ୍ର କହିଛନ୍ତି, ଆମ ମାତୃଶକ୍ତି ଭୁଲୁଣ୍ଠିତ ହୋଇଛି। ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ତେଣୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଏଥିସହ ବହୁ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ବିଜେଡି ଆସନ୍ତା ମଙ୍ଗଳବାର ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରିବ ।
ଏହାର ଜବାବରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ବିଜେପି ସରକାର ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି। ତୁରନ୍ତ ୫ ଅଧିକାରୀଙ୍କୁ ନିଲମ୍ବନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। ନବୀନ ପଟ୍ଟନାୟକଙ୍କ ଭଳି ସେ ମୁହଁ ଲୁଚାଉ ନାହାନ୍ତି। ଦୋଷୀ ନିହାତି ଭାବେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବ ।
ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଯାଉଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଗିରଫ ୭ ଅଭିଯୁକ୍ତ। ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ଏହି ଘଟଣାରେ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।