ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦୨୫ ସୁଦ୍ଧା ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜରେ ଦିଆଯିବ । ବର୍ତ୍ତମାନ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ପରିଚାଳିତ ଭୁବନେଶ୍ବର ବିମାନବନ୍ଦର ସମେତ ଦେଶର ମୋଟ ୨୫ଟି ବିମାନବନ୍ଦରକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ । କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏସବୁ ଏୟାରପୋର୍ଟ ଗୁଡ଼ିକୁ ଲିଜ ସୁତ୍ରରେ ଦିଆଯିବ ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡେନେରାଲ ଭି.କେ.ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି ଯେ, ଏୟାରପୋର୍ଟଗୁଡ଼ିକୁ ଘରୋଇ କ୍ଷେତ୍ରର ନିବେଶ ଓ କାର୍ଯ୍ୟଦକ୍ଷତା ଆସିବା ପରେ ସେଗୁଡ଼ିକର ଉତ୍ତମ ପରିଚାଳନା ହୋଇପାରିବ । ପିପିପି ମୋଡରେ ଏୟାରପୋର୍ଟଗୁଡ଼ିକର ବିକାଶ ହେଲେ ଏହା ଦ୍ବାରା ଯାତ୍ରୀ ଓ ରାଜ୍ୟ ସରକାରମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୮ଟି ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଘରୋଇ କମ୍ପାନିମାନଙ୍କୁ ଲିଜ୍ ଦିଆଯାଇସାରିଛି । ସେଗୁଡ଼ିକ ହେଉଛନ୍ତି:- ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ, ମାଙ୍ଗାଲୁରୁ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଲୋକପ୍ରିୟ ଗୁଆହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ ଓ ତିରୁଅନନ୍ତପୁରମ ଏୟାରପୋର୍ଟ ।
