(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶାର ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରର ହେବ ଘରୋଇକରଣ। ଦେଶରେ ଆଉ ୧୩ଟି ବିମାନ ବନ୍ଦରର ଘରୋଇକରଣ ହେବାକୁ ଯାଉଛି ଏହା ମଧ୍ୟରେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର ରହିଛି। ଏହାକୁ ଅନୁମୋଦନ କରିଛନ୍ତି ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) । ଏହି ୧୩ଟି ବିମାନ ବନ୍ଦର ମଧ୍ୟରେ ୬ଟି ବୃହତ ବିମାନବନ୍ଦର ରହିଥିବା ବେଳେ ସେଥିମଧ୍ୟରେ ରହିଛି ଭୁବନେଶ୍ବର ବିମାନବନ୍ଦର। ଘରୋଇକରଣ ହେବାକୁ ନିଷ୍ପତ୍ତି ନିଆଯାଇଥିବା ୬ଟି ବୃହତ ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର ରହିଛି। ସେହିପରି ଘରୋଇକରଣ ହେବାକୁ ଥିବା ୭ଟି କ୍ଷୁଦ୍ର ବିମାନ ବନ୍ଦର ମଧ୍ୟରେ ଓଡ଼ିଶାର ଝାରସୁଗୁଡା ବିମାନ ବନ୍ଦର ରହିଛି। ସେହିପରି ୭ଟି କ୍ଷୁଦ୍ର ବିମାନ ବନ୍ଦର ହେଉଛି ଝାରସୁଗୁଡା, ଗୟା, କୁଶିନଗର, କାଙ୍ଗ୍ରା, ତିରୁପତି, ଜବଲପୁର ଏବଂ ଜଲଗାଓଁ। 

ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଏଗୁଡିକର ଘରୋଇକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଆସେଟ ମନିଟାଇଜେସନ ଅଭିଯାନରେ ଏହାକୁ ପ୍ରଥମ ବୃହତ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ୨୦୨୪ ମସିହା ସୁଦ୍ଧା କେନ୍ଦ୍ର ସରକାର ବିମାନ ବନ୍ଦରଗୁଡିକରେ ୩୬୬୦ କୋଟି ଟଙ୍କା ବେସରକାରୀ ନିବେଶ ଲକ୍ଷ୍ୟ ରଖିଛନ୍ତି। ସଡକ ଠାରୁ ଆରମ୍ଭ କରି ରେଳବାଇ , ବିମାନ ବନ୍ଦର ଏବଂ ସହରାଞ୍ଚଳ ରିଅଲ ଇଷ୍ଟେଟ ଆଦି କ୍ଷେତ୍ରରେ କେନ୍ଦ୍ର ସରକାର ଆସେଟ ମନିଟାଇଜେସନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। 

କେନ୍ଦ୍ର ସରକାର ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ କେତେକ ବୃହତ ବିମାନ ବନ୍ଦର ସାଙ୍ଗକୁ କିଛି କ୍ଷୁଦ୍ର ବିମାନ ବନ୍ଦରକୁ ମଧ୍ୟ ସାମିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାରାଣସୀକୁ କୁଶିନଗର ଓ ଗୟା ସହିତ, ଅମୃତସରକୁ କାଙ୍ଗ୍ରା ସହିତ, ଭୁବନେଶ୍ୱରକୁ ଝାରସୁଗୁଡା ସହିତ ଏବଂ ଇନ୍ଦୋରକୁ ଜବଲପୁର ସହିତ ସାମିଲ କରାଯାଇଛି। 

ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଏଏଆଇ ପକ୍ଷରୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ରାଜସ୍ୱ ଭାଗିଦାର ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ବୃହତ ବିମାନ ବନ୍ଦର ସହିତ କ୍ଷୁଦ୍ର ବିମାନ ବନ୍ଦର ଗୁଡିକୁ ମଧ୍ୟ ସାମିଲ କରାଯାଉଛି। 

ଏହା ପୂର୍ବରୁ କରାଯାଇଥିବା ଘରୋଇକରଣ ପ୍ରକ୍ରିୟାରେ ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ ସମସ୍ତ ଛଅଟି ବିମାନ ବନ୍ଦର ଅହମଦାବାଦ, ଜୟପୁର, ଲକ୍ଷ୍ନୌ, ଥିରୁଅନନ୍ତପୁରମ, ମାଙ୍ଗାଲୁରୁ ଏବଂ ଗୌହାଟୀ ହାସଲ କରିଥିଲେ।