ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଡ଼ଗଡ଼ ହାଜତ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ଅଧିକାରୀଙ୍କୁ ବଦଳି ହୋଇଛି। ଏସକେ ବେହେରାଙ୍କ ସ୍ଥାନରେ ଜଣେ ଇନ୍ସପେକ୍ଟର ପାହ୍ୟା ଅଧିକାରୀ ଘଟଣାର ତଦନ୍ତ କରିବେ। ସେ ଜିଲ୍ଲା ଏଚ୍ଆରପିସିଙ୍କ ସହ ତଦନ୍ତ କରିବେ। ଅତିରିକ୍ତ ଡିସିପି ଏହାର ତଦାରଖ କରୁଥିବା ବେଳେ ଏନ୍ଏଚ୍ଆରସି ଗାଇଡଲାଇନ୍ ଅନୁଯାୟୀ ତଦନ୍ତ ହେଉଛି ଏବଂ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦିଆଯିବ ବୋଲି କୁହାଯାଉଛି। ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ତେଣୁ ଏହି ଘଟଣା ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷେ, ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆର୍ସି)ଙ୍କ ନିୟମ ଅନୁସାରେ, ହାଜତ ମୃତ୍ୟୁର ସମସ୍ତ ନିୟମକୁ ପାଳନ କରାଯାଇଛି। ଏକାଧିକ ଡାକ୍ତର(ଟିମ୍ ଅଫ୍ ଡକ୍ଟର) ଶବ ବ୍ୟବଚ୍ଛେଦ କରିବା ସହ ଏହାର ଭିଡିଓ ରେକର୍ଡିଂ କରାଯାଇଛି। ସିଆର୍ପିସି ଧାରା-୧୭୬(୧)(ଏ) ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଲେଖା ଯାଇଥିବା ଜଣାପଡ଼ିଛି।