ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଓ ବିଭିନ୍ନ ଦଳର ପ୍ରଶଂସକ ମାନେ ଭୁବନେଶ୍ୱର ଆସିବେ। ତେବେ ସମସ୍ତ ଅତିଥିଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ ପୋଲିସ। ଏନେଇ ବିଶ୍ୱକପ୍ ହକି ପୂର୍ବରୁ ଆଜି ବିମାନବନ୍ଦରରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସମୀକ୍ଷା ପରେ ସେ କହିଛନ୍ତି ଯେ, ବିଶ୍ୱକପ ହକି ସମୟରେ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ। କେବଳ ବିମାନବନ୍ଦରରେ ହିଁ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ। ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆସନ୍ତା ଜାନୁୟାରୀ ୪ ତାରିଖରୁ ଖେଳାଳି, କୋଚ୍ ଓ ଟେକନିକାଲ ଷ୍ଟାଫ୍ ଭୁବନେଶ୍ୱରରେ ପହଞ୍ଚିବେ। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନେ କିପରି ସହଜରେ ହୋଟେଲ ଓ ଷ୍ଟାଡିୟମରେ ପହଞ୍ଚି ପାରିବେ ଓ ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଖେଳାଳିମାନେ କେଉଁ ଗେଟ୍‌ରେ ବିମାନବନ୍ଦରରୁ ବାହାରିବେ, ସେମାନଙ୍କ ବସ୍ ମାନବନ୍ଦରରେ କେଉଁଠି ଲାଗିବ ଓ ଖେଳାଳିମାନେ ନିରାପଦ ଭାବରେ କିପରି ଯିବା ଆସିବେ କରିବେ ସେନେଇ ଆଲୋଚନା ହୋଇଥିଲା।

ଡିସିପି ଆହୁରି କହିଛନ୍ତି, ବିମାନବନ୍ଦରରେ ୩ ତାରିଖରୁ ପୁଲିସ ଫୋର୍ସ ମୁତୟନ ରହିବେ। ବିମାନବନ୍ଦରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଜଣେ ଡିସିପି ଏୟାରପୋର୍ଟ ଦାୟିତ୍ବରେ ରହିବେ। ଡିସିପିଙ୍କ ଅଣ୍ଡରରେ ୪ଜଣ ଏସିପି ଓ ୪ ଜଣ ଇନ୍ସପେକ୍ଟର, ୧୬ ଜଣ ସବ୍‌ ଇନ୍ସପେକ୍ଟର ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ରହିବେ।

ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ସମୀକ୍ଷା କରିଥିଲେ ଡିସିପି। ବୈଠକରେ କମିଶନରେଟ୍ ପୁଲିସ, ସିଆଇଏସଏଫ୍ ଓ ଏୟାରପୋର୍ଟ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ।