ଆସନ୍ତା ୧୨ ତାରିଖ ଅପରାହ୍ଣ ୨ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ

ଗାନ୍ଧିନଗର : ଗୁଜରାଟରେ ବିଜୟ ହାସଲ କରିଛି ବିଜେପି । ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି ବିଜେପି । ବିଜୟ ପରେ ଏବେ ବିଜେପି ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆସନ୍ତା ୧୨ ତାରିଖ ଅପରାହ୍ଣ ୨ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ ।

ତେବେ ଏହି ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ ।

ଦଳର ଏହି ଐତିହାସିକ ବିଜୟର ଶ୍ରେୟ ମୋଦୀ ଓ ଶାହାଙ୍କୁ ଦିଆଯାଉଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅବଦାନ ବି କିଛି କମ ନୁହେଁ । ଚଳିତ ଥର ଦଳ ରାଜ୍ୟରେ ସରକାର ବିରୋଧୀ ହାଓ୍ବାର ସମ୍ମୁଖୀନ ହେଉଥିବା ସଂକେତ ମିଳିବା ପରେ ଦଳ ୧୩ ସେପ୍ଟେମ୍ବର ୨୦୨୧ରେ ବିଜୟ ରୁପାନିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେଇଥିଲା ଓ ଭୂପେନ୍ଦ୍ର ପଟେଲଙ୍କୁ ଚୌକିରେ ବସାଇଥିଲା ।

ଏହି ପଦକ୍ଷେପ ମାଧ୍ୟମରେ ପଟିଦାର ସମାଜରେ ଥିବା ବିଜେପି ବିରୋଧୀ ହାଓ୍ବାକୁ ଦୂର କରିବାକୁ ସକ୍ଷମ ହୋଇଥିଲା ଦଳ । କେବଳ ଏତିକି ନୁହେଁ, ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯିବା ଦ୍ବାରା ପଟିଦାର ସମାଜର ଅସନ୍ତୋଷକୁ ଦୂର କରାଯାଇପାରିଥିଲା ।

ପେସାରେ ଜଣେ ବିଲଡର ଥିବା ଭୂପେନ୍ଦ୍ର ପଟେଲ ନିଜର ୨୦୧୭ର ରେକର୍ଡ କାଟିବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଅହମଦାବାଦର ଘାଟଲୋଡିଆ ଆସନରେ ୧ ଲକ୍ଷ ୭୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ୨୦୧୭ରେ ସେ ୧ ଲକ୍ଷ ୧୭ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ

Related Posts