ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍ ଙ୍କ ନାଁରେ ମୋହର ବାଜିଛି। ସେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ଅନୁଷ୍ଠିତ ହୋଇଥିବା ବିଜେପି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗୁଜୁରାଟ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର । ସୂଚନା ମୁତାବକ ଗତକାଲି ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କ ନାମକୁ ସୁପାରିଶ କରିଛନ୍ତି। ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ରଙ୍କ ନାମକୁ ବିଜୟ ରୂପାନୀ ସୁପାରିଶ କରିଛନ୍ତି । ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶେଷରେ ଆଜି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଙ୍କ ନାଁ ଉପରେ ମୋହର୍ ଲାଗିଛି।

୨୦୧୭ ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ଜିତି ସେ ବିଧାୟକ ହୋଇଥିଲେ। ଗୁଜୁରାଟର ଘାତାଲୋଡିୟା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ କଂଗ୍ରେସର ଶଶୀକାନ୍ତ ବାସୁଦେବଭାଇ ପଟେଲଙ୍କୁ ହରାଇଥିଲେ। ଏହା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ରେସ୍ ରେ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୁପାଲା, ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, ସିଆର୍ ପଟେଲ୍ ଓ ଗୋବର୍ଦ୍ଧନ ଝାଡାଫିୟା ମଧ୍ୟ ଥିଲେ।

ଗୁଜରାଟରେ ଆସନ୍ତାବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଇସ୍ତଫା ଦେଇଥିଲେ । ମିଳିଥିବା ସୂଚନା ମୁତାବକ, ବିଜେପି ଗୁଜରାଟରେ ଏବେ ନୂଆ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି। 

ଗତ କିଛି ମାସ ଧରି ବିଜେପି ନେତୃତ୍ୱାଧୀନ କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେଉଛନ୍ତି କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପା ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା।  ସେହିପରି ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏହା ପୂର୍ବରୁ ଆସାମରୁ ସର୍ବାନନ୍ଦ ସୋନୋୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତାଙ୍କ ସ୍ଥାନରେ ହିମନ୍ତ ବିଶ୍ବ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Related Posts