କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଏକ ବଡ଼ ଧରଣର ତୃଟି ସାମ୍ନାକୁ ଆସଛି। କୋଲକାତାର କାଳିଘାଟରେ ଥିବା ମମତା ବାନାର୍ଜୀଙ୍କ ଘର ଭିତରକୁ ଜଣେ ଅଜଣା ବ୍ୟକ୍ତି ପସି ଯାଇଥିବା ନେଇ ଅଭିଯୋଗ ହୋଇଛି । ଶନିବାର ରାତିରେ ଏପରି ହୋଇଥିବା କୁହାଯାଇଛି। ବ୍ୟକ୍ତିଜଣଙ୍କ କାନ୍ଥରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ଘର ଭିତରକୁ ପସିଥିଲେ ବୋଲି ଜଣାପଡ଼ିଛି। ରାତି ସାରା ବ୍ୟକ୍ତି ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଘରେ ଥିଲେ।
ସକାଳେ ଯେତେବେଳେ ମମତାଙ୍କ ଘରେ ପୋଲିସ ସେହି ବ୍ୟକ୍ତିକୁ ଦେଖିଥିଲେ ତୁରନ୍ତ ତାକୁ ଗିରଫ କରାଯାଇଥିଲା। ସେହି ବ୍ୟକ୍ତିଙ୍କୁ ହେପାଜତରେ ନିଆଯାଇ ଏବେ ପଚରାଉଚୁରା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତୃଟି ହୋଇଥିବା ମାମଲା ସାମ୍ନାକୁ ଆସିବା ପରେ ପୋଲିସ କମିଶନର୍ ବୀନିତ ଗୋୟେଲଙ୍କ ସହିତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଜେଡ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥାକୁ କିପରି ସେହି ବ୍ୟକ୍ତି ଜଣଙ୍କ ଭାଙ୍ଗିଲେ ସେନେଇ ଏବେ ତଦନ୍ତ ଜାରି ରହିଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ‘ଇଣ୍ଡିଆନ ଏକ୍ସପ୍ରେସ’ ଖବରକାଗଜ ଅନୁସାରେ କାହିଁକି ସୁରକ୍ଷା ବ୍ୟବସ୍ଥାରେ ଏପରି ବଡ଼ ଧରଣର ତୃଟି ହୋଇଛି ତାର କାରଣ ଜାଣିବା ପାଇଁ ପୋଲିସ ଏବେ ପ୍ରୟାସ ଜାରି ରଖିଛି ବୋଲି। ଘରେ ପସିଥିବା ବ୍ୟକ୍ତି ଜଣଙ୍କ ଚୋର କିମ୍ୱା ମାନସିକ ବିକୃତ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।ଏହି ଘଟଣାକୁ ପୋଲିସ ଏବେ ଗୁରୁତର ଭାବେ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି ।
