କେଜ୍ରିୱାଲଙ୍କୁ ବଡ଼ ଝଟକା; ଗିରଫଦାରୀକୁ ବୈଧ କହିଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଅଦାଲତୀ ଝଟକା ଲାଗିଛି। ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଅର୍ଥାତ୍ ଏବେ କେଜ୍ରିଓ୍ଵାଲଙ୍କୁ ଜେଲରେ ରହିବାକୁ ପଡ଼ିବ। ଅଦାଲତ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। କେଜ୍ରିୱାଲଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି।

ସେପଟେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିପାରେ।

ତେବେ ଆବେଦନର ଶୁଣାଣି କରି ଆଜି ଜଷ୍ଟିସ ଶର୍ମା କହିଛନ୍ତି ଏହା ଜାମିନ ଶୁଣାଣି ମାମଲା ନୁହେଁ, ବରଂ ଗିରଫଦାରୀର ବୈଧତା ପ୍ରତି ଏକ ଚ୍ୟାଲେଞ୍ଜ ଆବେଦନ ଥିଲା । ଇଡି ପକ୍ଷରୁ କୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ କେଜ୍ରିୱାଲ ଏହି ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି। ଇଡି ଏହା ମଧ୍ୟ କହିଛି ଯେ ଅରବିନ୍ଦ କେଜ୍ରିୱାଲ ଉଭୟ ବ୍ୟକ୍ତିଗତ ଏବଂ ଆପ୍ ଆବାହକ ଭାବରେ ମଦ ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ।

ଜଷ୍ଟିସ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ କେଜ୍ରିୱାଲ ସାକ୍ଷୀଙ୍କ ବୟାନକୁ ଖାରଜ କରିପାରିବେ ନାହିଁ, କିନ୍ତୁ ନିଶ୍ଚିତ ଭାବରେ ତାଙ୍କୁ ଜେରା କରିପାରିବେ। ଯଥେଷ୍ଟ ପ୍ରମାଣ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି ବୋଲି ସେ ତାଙ୍କ ରାୟରେ କହିଛନ୍ତି।

Related Posts