ବେଦାନ୍ତ ଲିମିଡେଟକୁ ବଡ଼ ଝଟକା; ବେଆଇନ ସମ୍ପ୍ରସାରଣ ପାଇଁ ୨୫ କୋଟିର ଜରିମାନା ଲଗାଇଲା ଏନଜିଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବେଦାନ୍ତ ଲିମିଡେଟକୁ ବଡ଼ ଝଟକା । ତେବେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଆଲୁମିନି ବିଶୋଧନାଗାର ଏବଂ ନିଜସ୍ବ ବିଦ୍ୟୁତ ପ୍ରକଳ୍ପର ସଂପ୍ରସାରଣ କାର‌୍ୟ୍ୟ ପାଇଁ ଆବଶ୍ୟକ ପ୍ରାକ୍ ଅନୁମତି ନେଇ ନଥିବାରୁ ଏନ୍ଜିଟି ବେଦାନ୍ତ ଲିମିଟେଡକୁ ୨୫ କୋଟି ଟଙ୍କାର ଜରିମାନା କରିଛି। ସେପଟେ ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋୟଲଙ୍କ ଖଣ୍ଡପୀଠ ଉକ୍ତ ଜରିମାନା ରାଶିକୁ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ମାସକ ଭିତରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତମାସ ୨ ତାରିଖରେ ଉକ୍ତ ଆଦେଶ ଦିଆଯାଇଛି। ଉକ୍ତ ଅର୍ଥକୁ ଏକ ପୃଥକ୍ ଆକାଉଣ୍ଟରେ ରଖାଯିବ ଏବଂ ସେହି ଅର୍ଥକୁ ପରିବେଶ ପୁନରୁଦ୍ଧାର କାର‌୍ୟ୍ୟରେ ବିନିଯୋଗ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ପରିବେଶ ଅନୁମତି ନଥାଇ କମ୍ପାନି ଏହାର ଆଂଶିକ ସଂପ୍ରସାରଣ କରିଛି। ଏଥିସହିତ ଅନ୍ୟ ଏକ ପ୍ରସଙ୍ଗ ହେଲା ତେଲ ନଦୀରୁ କମ୍ପାନି ନେଉଥିବା ଜଳ।

ତେଲ ନଦୀର କମ୍ପାନି ଜଳ ନେଲେ ମଧ୍ୟ ନଦୀର ଜଳପ୍ରବାହରେ ଯଦିଓ କୌଣସି ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି ତଥାପି ବେଦାନ୍ତ ସମେତ ଅନ୍ୟ କମ୍ପାନିର ଆବଶ୍ୟକତା ବଢ଼ିଲେ ନଦୀରୁ ଜଳ ପ୍ରଦାନ ସମାନ ରହିବ ନାହିଁ ବୋଲି ଏନ୍ଜିଟି କହିଛନ୍ତି। ଏଥିସହିତ ପ୍ରଭାବ ସମୟକୁ ସମୟ କ’ଣ ରହିବ ତାହାକୁ ବିଚାରକୁ ନେବା ଏବଂ ଆବଶ୍ୟକ ହେଲେ ଅଧିକ ସର୍ତ୍ତ ଲାଗୁକୁ ବିଚାର କରାଯିବା ଉଚିତ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗର ସଚିବ, କେନ୍ଦ୍ରୀୟ ଜଳ ଆୟୋଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଆଞ୍ଚଳିକ କାର‌୍ୟ୍ୟାଳୟ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନେଇ ଏକ କମିଟି ଗଠନ କରିଛନ୍ତି। ପ୍ରଭାବ ଆକଳନ କରି ୩ ମାସ ମଧ୍ୟରେ ଉକ୍ତ କମିଟି ଅତିରିକ୍ତ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବ ବୋଲି ଏନ୍ଜିଟି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts