ନଦୀରେ ପ୍ରଦୂଷଣ ଯୋଗୁ ୟୁପି ସରକାରଙ୍କ ଉପରେ ୧୨୦ କୋଟି ଜୋରିମନା ଲଗାଇଲା ଏନଜିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶ ସରକାରଙ୍କ ଉପରେ ୧୨୦ କୋଟି ଜୋରିମନା ଲଗାଇଛି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି)। ଗୋରଖପୁରର ରାମଗଡ ତାଲ, ଆମି, ରାପ୍ତି, ରୋହିଣୀ ନଦୀରେ ପ୍ରଦୂଷଣ ହେତୁ ଏହି ଜୋରିମାନା ଲାଗୁ କରାଯାଇଛି। ଶିଳ୍ପଗୁଡିକ ଦ୍ୱାରା ପ୍ରଦୂଷଣ ନିୟମ ପାଳନ ନକରିଲେ ଆଇନଗତ ପଦକ୍ଷେପ ନେବାକୁ ଏନଜିଟି ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଗୋରଖପୁରରେ ଜଳ ନିଷ୍କାସନ ନହୋଇ ଉପୁଜିଥିବା ସମସ୍ୟା ପାଇଁ ଏନଜିଟି ଉତ୍ତରପ୍ରଦେଶ ସରକାରଙ୍କୁ ଦାୟୀ କରିଛି।

ଜଳ ପ୍ରଦୂଷଣ ପରିବେଶକୁ କ୍ଷତି ପହଞ୍ଚାଇବାରେ ଏକ କାରଣ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଏନଜିଟି କହିଛି ଯେ ପ୍ରଦୂଷିତ ଜଳ ଏନସେଫାଲାଇଟିସ୍, ଜାପାନିଜ ଜ୍ୱର ଭଳି ରୋଗ ସୃଷ୍ଟି କରିଥାଏ, ଯେଉଁଥିପାଇଁ ଗୋରଖପୁର ମେଡିକାଲ କଲେଜରେ ଶହ ଶହ ପିଲା ପ୍ରାଣ ହରାଇଛନ୍ତି । ଏହାସହିତ ଗୋରଖପୁରରେ ରାମଗଡ ତାଲ, ରାପ୍ତି ନଦୀ ସମେତ ଗୋରଖପୁରର ଅନ୍ୟ ନଦୀରେ ପ୍ରଦୂଷଣକୁ ରୋକିବା ପାଇଁ ୬ ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି ।ଏହି କମିଟିକୁ ଏକ ମାସ ମଧ୍ୟରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ୬ ମାସ ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ମଧ୍ୟ କମିଟିକୁ ଏନଜିଟି କହିଛି।

Related Posts