ଚାକିରିରୁ ନିଲମ୍ବିତ ହେଲେ କୋଟିପତି ପିଏସ୍‌ ବିରଞ୍ଚି ନାରାୟଣ ସାହୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚାକିରୀରୁ ନିଲମ୍ବିତ ହେଲେ ଓଏସ୍‌ଏସ୍‌ସି ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ । ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ସମେତ ମୋଟ୍‌ ୬ ଟି ସ୍ଥାନରେ ଚଢ଼ଉ କରିଥିଲା । 

ଏହି ସମୟରେ ତାଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କା ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା।  ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ବିଲଡିଂ , ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ ଟି ଏକ ମହଲା ବିଲଡିଂ । ଏବଂ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ ଟି ପ୍ଲଟ୍‌ ଥିବା ଜଣାପଡିଛି ।

ଏତଦ୍ ବ୍ୟତୀତ ତାଙ୍କର ଗୋଟିଏ କାର୍‌, ୨ ଟି ବାଇକ୍‌, ୫୬ ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା , ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। 

ସେ କୋଭିଡ୍ ମହାମାରୀ ସମୟରେ ୨ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଥିବା ସହ ତାଙ୍କ ଘରୁ ବିଦେଶୀ ନୋଟ୍‌ ମଧ୍ୟ ଠାବ କରାଯାଇଛି ।

ଗତ କିଛି ମାସ ତଳେ ଓଏସ୍‌ଏସ୍‌ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା । ବିରଞ୍ଚି ନାରାୟଣ ସାହୁ ଓ ତାଙ୍କର କିଛି ଖାସ୍‌ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍‌ କରୁଥିବା ସନ୍ଦେହ ହୋଇଛି। ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ନିଯୁକ୍ତି ସଂପର୍କିତ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଛି। 

Related Posts