ବିଲକିସ୍‌ ବାନୋ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବା ଘଟଣା ଲଜ୍ଜାଜନକ: ବଲିଉଡ ଅଭିନେତ୍ରୀ ଶବାନା ଆଜମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ମାମଲାରେ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବାକୁ ନେଇ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜମୀ। ଏହାକୁ ଏକ ଲଜ୍ଜାଜନକ ଘଟଣା କହିବା ସହ ନିଜ ମନର ଯନ୍ତ୍ରଣା ବଖାଣିଛନ୍ତି। ବିଲକିସ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଯେବେଠାରୁ ଗୁଜରାଟ ସରକାର ମୁକ୍ତ କରିଛନ୍ତି ସେବେଠୁ ଦେଶର ବିଭିନ୍ନ ମହଲରେ ଏହାକୁ ତୀବ୍ର ବିରୋଧ ଜାରି ରହିଛି।ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଏବେ ଏହି ବିରୋଧରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶବାନା ଆଜମୀ। ଏକ ସାକ୍ଷାତକାର୍‌ରେ ଶବାନା ଆଜମୀ କହିଛନ୍ତି, ‘ଏପରି ଜଘନ୍ୟ ଅପରାଧର ଅପରାଧୀଙ୍କୁ ମୁକ୍ତ କରିବା ଆଦୌ ଠିକ୍ ନୁହେଁ। ଏଥିସହ ଜେଲରୁ ମୁକୁଳିବା ପରେ ଦୋଷୀମାନଙ୍କୁ ମିଠା ଖାଇଇ ସ୍ୱାଗତ କରିବା ଆହୁରି ଅଧିକ ଭୁଲ୍‌। ଏହା ସମାଜକୁ ଏକ ଭୁଲ ବାର୍ତ୍ତା ପଠାଇଛି।’

ସେ ଆହୁରି କହିଛନ୍ତି, ‘ ଏହି ଘଟଣା ବେଶ୍‌ ଲଜ୍ଜାଜନକ। ଏହା ମୋତେ ସ୍ତବ୍ଧ କରିଦେଇଛି। ଏହା ବେଶ୍‌ ଭୟାନକ। ଯଦି ଅପରାଧୀଙ୍କୁ ମହିମା ମଣ୍ଡିତ କରାଯିବ ତେବେ ଆମେ ଆମ ମା’ ଭଉଣୀଙ୍କୁ କ’ଣ ଉତ୍ତର ଦେବା। ସରକାର ନାରୀ ସଶକ୍ତୀକରଣ କହୁଥିବା ବେଳେ ନାରୀଙ୍କ ସହ ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ ସମ୍ମାନୀତ କରିଯିବା ଘଟଣା ବେଶ୍‌ ଚିନ୍ତାଜନକ। ଏହା କେବଳ ମହିଳାଙ୍କ ପାଇଁ ନୁହେଁ ପୂରା ସମାଜ ପାଇଁ ଲଜ୍ଜା।’ ଯେତେବେଳେ ନିର୍ଭୟା ପ୍ରସଙ୍ଗ ଉଠିଥିଲା ସେତେବେଳେ ପୂରା ଦେଶ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲା। ଏବେ କିନ୍ତୁ ବିଲକିସ୍‌ ବାନୋ ଘଟଣାରେ ଲୋକେ କାହିଁକି ଚୁପ୍‌ ଅଛନ୍ତି ବୋଲି ଶବାନା ଆଜମୀ ପ୍ରଶ୍ନ ପଚାରିଛନ୍ତି।

ସୂଚନାଯୋଗ୍ୟ ଯେ, ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରିଥିଲେ। ସେମାନେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲ ମାଳ ଓ ମିଠା ଦେଇ ସ୍ୱାଗତ କରାଯାଇଥିଲା। ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି। ୨୦୦୯ରେ ମୁମ୍ବାଇରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ।

Related Posts