୧୧ ଦୁଷ୍କର୍ମ ଦୋଷୀଙ୍କ ମୁକ୍ତିକୁ ଚାଲେଞ୍ଜ୍‌ କରି ବିଲ୍‌କିସ୍‌ ବାନୋ କରିଥିବା ରିଭ୍ୟୁ ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ଭୁବନେଶ୍ୱର,୧୭/୧୨ (ସତ୍ୟପାଠ ବ୍ୟୁରୋ): ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ୍‌ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ୧୧ଜଣ ବ୍ୟକ୍ତିଙ୍କୁ ଜେଲରୁ ମୁକ୍ତ କରାଯାଇଛି। ତେବେ ଏହି ଅପରାଧୀ ମାନଙ୍କୁ ମୁକ୍ତ କରିବା ନେଇ ଆଦେଶକୁ ଚାଲେଞ୍ଜ୍‌ କରି ବିଲ୍‌କିସ୍‌ ବାନୋ ସୁପ୍ରିମକୋର୍ଟରେ ଫାଇଲ୍‌ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି।

ଆଡ୍‌ଭୋକେଟ୍‌ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ବିଲ୍‌କିସ୍‌ ‘ରିଭ୍ୟୁ ପିଟିସନ୍‌’ ଦାଏର କରିଥିଲେ। ଏଥିରେ ବିଲ୍‌କିସ୍‌ ମଧ୍ୟ ଦର୍ଶାଇ ଥିଲେ କି, ସମସ୍ତ ଦୋଷୀଙ୍କୁ ଆଗୁଆ ମୁକ୍ତ କରାଯିବା ସଂକ୍ରାନ୍ତ ସବୁ କାଗଜପତ୍ର ପାଇବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କିନ୍ତୁ, ବାରମ୍ବାର ରିମାଇଣ୍ଡର୍‌ ଦେବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପାଖରୁ କିଛି ମିଳିଲା ନାହିଁ।

ଉପରୋକ୍ତ ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ଜଣଙ୍କୁ ୨୦୦୮ରେ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା। କିନ୍ତୁ, ଗୁଜରାଟ ସରକାରଙ୍କ ‘ରିମିସନ୍‌ ପଲିସି’ ବ୍ୟବସ୍ଥାରେ ଅନୁମତି ଦେବା ପରେ ଅଗଷ୍ଟ ୧୫ ତାରିଖ ଦିନ ୧୧ଜଣଙ୍କୁ ଗୋଧ୍ରା ଉପକାରାଗାରରୁ ମୁକ୍ତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଘଟଣା ଗୁଜରାଟରେ ଘଟିଥିବାରୁ ‘ରିମିସନ୍‌’ ଅନୁରୋଧ ଉପରେ ବିଚାର କରିବାର କ୍ଷମତା ଗୁଜରାଟ ସରକାରଙ୍କର ଥିବା କଥା ୨୦୨୨ ମେ’ରେ ବିଚାରପତି ଅଜୟ ରସ୍ତୋଗି ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଏହାଛଡ଼ା, ୧୯୯୨ର ‘ରିମିସନ୍‌ ପଲିସି’ ଅନୁସାରେ, ‘ରିମିସନ୍‌’ ଆବେଦନଗୁଡ଼ିକର ବିଚାର ୨ ମାସ ମଧ୍ୟରେ କରିବା ଲାଗି ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Related Posts