ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କୁ ଫେସ୍‌ବୁକ୍‌ରେ ହତ୍ୟା ଧମକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ବରଗଡ଼ ଜିଲ୍ଲା ରାଜନୀତି ସରଗରମ ହୋଇଉଠିଥିବାବେଳେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଯାଇଛି। ତେବେ ସେସବୁ ଭିତରେ ଫେସ୍‌ବୁକ୍‌ରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ହତ୍ୟା ଧମକ ମିଳିଛି। ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ପିଙ୍କୁ କମ୍ପ ନାମକ ଜଣେ ଯୁବକ ନିଜର ଫେସ୍‌ବୁକ୍‌ ପେଜ୍‌ରେ ‘ଗୁଳିର ଜବାବ ଗୁଳିରେ ଦିଆଯିବ’ ବୋଲି ଉ‌ଲ୍ଲେଖ କରିଛନ୍ତି। ଏହି ପୋଷ୍ଟରେ ବିଧାୟକ ଶ୍ରୀ ସିଂ ଓ ତାଙ୍କ ଭାଇ ସୁବ୍ରତଙ୍କ ଉପରେ ଟିପ୍ପଣୀ ରହିଛି। ଏହି ଯୁବକ ଜଣକ ଚାଲେଞ୍ଜ୍‌ ଦେବାସହିତ ୨୬ ତାରିଖରେ ଭୁବନେଶ୍ବରରୁ ପଦ୍ମପୁର ପହଞ୍ଚିବି ବୋଲି ଲେଖିଛନ୍ତି। ଏହି ପୋଷ୍ଟ୍‌ରେ ସେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ମଧ୍ୟ ଫଟୋରେ ନଜର ଆସିଛନ୍ତି ।

‘ପୋଷ୍ଟକୁ ନେଇ ଆଦୌ ଭୟଭୀତ ନୁହେଁ’: ସୁଶାନ୍ତ ସିଂହ

ଏହି ଧମକ ସମ୍ପର୍କରେ ସୁଶାନ୍ତ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯେଉଁ ଯୁବକ ଏହି ଫେସବୁକ୍ ପୋଷ୍ଟ କରିଛି, ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଡାହାଣ ହାତ। ଫଟୋ ବି ତାହା ସ୍ପଷ୍ଟ କରୁଛି। ବିଜେପି ପଦ୍ମପୁରରେ ହାରିବ ବୋଲି ଜାଣି ସାରିଲାଣି । ତେଣୁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାକୁ ଏଭଳି ଉଦ୍ୟମ କରୁଛି। ସେ ଆହୁରି କହିଛନ୍ତି ଯେ, ଏହି ପୋ‌ଷ୍ଟକୁ ନେଇ ସେ ଆଦୌ ଭୟଭୀତ କିମ୍ବା ବିବ୍ରତ ନୁହନ୍ତି। ସେ ସ୍ବାଭାବିକ ଭାବେ ପଦ୍ମପୁରରେ ଦଳ ପାଇଁ ପ୍ରଚାର କାର୍ଯ୍ୟ ସହିତ ଅନ୍ୟ ଦାୟିତ୍ବ ତୁଲାଇବେ। ତେବେ ଉକ୍ତ ଯୁବକଙ୍କ ବିରୋଧରେ ସେ ଥାନାର ଦ୍ବାରସ୍ଥ ହେବେ ନାହିଁ ବୋଲି ସୁଶାନ୍ତ ସିଂହ କହିଛନ୍ତି।

‘ପୋଷ୍ଟ କରିଥିବା ଯୁବକକୁ ଜାଣିନାହିଁ’: ଜୟନାରାୟଣ ମିଶ୍ର

ଫେସ୍‌ବୁକ୍‌ରେ ଏହି ବିବାଦୀୟ ପୋଷ୍ଟ କିମ୍ବା ଫଟୋ ସମ୍ପର୍କରେ ଅବଗତ ନଥିବା କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଉକ୍ତ ପୋଷ୍ଟ କରିଥିବା ଯୁବକକୁ ସେ ଜାଣିନାହାନ୍ତି। ବିଜେଡି ପାଖରେ ପ୍ରଶାସନିକ କଳ, ପୁଲିସ ବଳ ରହିଛି। ବିଜେଡି ଚାହିଁଲେ ସବୁ କରିପାରିବ। ତେବେ ବିଜେପି ଶାନ୍ତିପୂର୍ଣ୍ଣ ଭାବେ ପଦ୍ମପୁରରେ ନିର୍ବାଚନ ଲଢ଼ୁଛି। ଆମର ଗଣ୍ଡଗୋଳ କରିବା ପ୍ରବୃତ୍ତି ନୁହଁ। ବିଜେପି ପଦ୍ମପୁରରେ ଜିତିବ ନା ନାହିଁ, ତାହା ଲୋକେ ବିଚାର କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ବେଳେ ସୋ‌ହେଲା ବ୍ଲକ ବନାବିରା ଗାଁରେ ରାଜନୈତିକ ସଂଘର୍ଷ ଘଟିଥିଲା। ଯେଉଁଥିରେ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଆହତ ହୋଇଥିଲେ ଓ ଏହି ଆକ୍ରମଣରେ ତାଙ୍କ ଡ୍ରାଇଭର୍‌ ମାଗି ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜୟନାରାୟଣ ମିଶ୍ର ମଧ୍ୟ ଗିରଫ ହୋଇଥିଲେ। ବର୍ତ୍ତମାନର ଏହି ପୋଷ୍ଟ ପୂର୍ବ ଘଟଣାବଳୀକୁ ପୁଣିଥରେ ତାଜା କରିବା ସହ ପଶ୍ଚିମଓଡ଼ିଶା ରାଜନୀତିକୁ ପୁଣି ଉଷ୍ମ କରିଦେଇଛି।

Related Posts