“ବିଜେଡି-ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି”; ଅଠାୱଲେଙ୍କ ଅଫର୍ ଉପରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବୀନ ପଟ୍ଟନାୟକ ଏନ୍‌ଡିଏରେ ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ପୁଣି ଏନ୍‌ଡିଏରେ ସାମିଲ୍‌ ହେଲେ ଭଲରେ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସୋମବାର ଗଣମାଧ୍ୟମ ଜରିଆରେ ନବୀନଙ୍କୁ ପ୍ରସ୍ତାବ ଦେଇଥିଲେ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି-ବିଜେପି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ଜୋର୍‌ ଧରିଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସୁର କହିଛନ୍ତି ଯେ, ବିଜେଡି ଓ ବିଜେପି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ବିଜେଡି ୯ ବର୍ଷ କାଳ ବିଜେପି ସହ ମେଣ୍ଟ ରେ ଥିଲା। ବିଜେଡି ବାଜପେୟୀଙ୍କ ଠାରୁ ସୃଷ୍ଟି ବୋଲି କହିଛନ୍ତି ସୁର। ବିଜେଡି ଶକ୍ତିଶାଳୀ ହେବା ପରେ ବିଜେପିଠାରୁ ଅଲଗା ହୋଇଥିଲା। ଏବେ ସିବିଆଇ, ଇଡି ଭଳି ସଂସ୍ଥା ଦ୍ୱାରା ବିଜେଡିକୁ କେନ୍ଦ୍ର ସରକାର ନିୟନ୍ତ୍ରଣରେ ରଖୁଛନ୍ତି। ରାଜ୍ୟସଭା ଓ ଲୋକସଭାରେ ବିଜେଡି ତାର ସମର୍ଥନ ବିଜେପି କୁ ଦେଇ ଆସୁଛି। ବୁଝାମଣାରେ ସେମାନଙ୍କର ଅଘୋଷିତ ମେଣ୍ଟ ଚାଲିଛି ବୋଲି କହିଛନ୍ତି ସୁର।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ନବୀନଙ୍କୁ ବିଜେପି ଆଦୌ ଗ୍ରହଣ କରିବ ନାହିଁ। ଅଠାୱଲେଙ୍କ ଦଳ ଏନ୍‌ଡିଏର ଏକ ସହଯୋଗୀ ଦଳ। ସେ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ। ଏହା ବିଜେପିର ଆଭିମୁଖ୍ୟ ନୁହେଁ। ସେହିପରି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆମର ଆଭିମୁଖ୍ୟ ସ୍ପଷ୍ଟ। ଆମ ଦଳର କିଛି ସ୍ବତନ୍ତ୍ରତା ରହିଛି। ଏବେ କେବଳ ରାଜ୍ୟ ଓ ‌ଦେଶର ସ୍ବାର୍ଥ କ୍ଷେତ୍ରରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରୁଛି।

Related Posts