ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡ଼ା ଗସ୍ତକୁ ନେଇ ଜିଲ୍ଲାରେ ରାଜନୈତିକ ପରିବେଶ ଉତ୍ତପ୍ତ ହୋଇଉଠିଛି। ତାଙ୍କ ଗସ୍ତ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁ ରଖିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ସଦର ଥାନା ପୋଲିସ ପକ୍ଷରୁ ବିଜେଡି ଓ କଂଗ୍ରେସର ଅନେକ ନେତା ଏବଂ କର୍ମୀଙ୍କୁ ପ୍ରତିଷେଧମୂଳକ ଭାବେ ଅଟକ ରଖାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟାରେ ଶ୍ରୀ ପ୍ରଧାନ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତାଙ୍କ ଗସ୍ତକୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ପ୍ରତିବାଦ କରାଯାଇପାରେ ବୋଲି ଆଶଙ୍କା କରି ଝାରସୁଗୁଡା ପୋଲିସ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର କେତେକ ନେତା ଓ କର୍ମୀଙ୍କୁ ସଦର ଥାନାକୁ ଆଣି ଅଟକ ରଖାଯାଇଛି।
ଅଟକ ରଖାଯିବା ପରେ ସଦର ଥାନା ପରିସରରେ ପ୍ରତିବାଦ ତୀବ୍ର ରୂପ ନେଇଥିଲା। ବିଜେଡି ଓ କଂଗ୍ରେସ କର୍ମୀମାନେ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ନାରାବାଜି କରିବା ସହ “ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ୍”, “ପୋଲିସ ପ୍ରଶାସନ ହାଏ ହାଏ ” ଏବଂ “ବିଜେପି ସରକାର ହାଏ ହାଏ ” ଭଳି ସ୍ଲୋଗାନ ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାଫଳରେ କିଛି ସମୟ ପାଇଁ ଥାନା ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନ୍ୟପକ୍ଷରେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନବନ୍ଦର, ସହରର ପ୍ରମୁଖ ଛକ ଏବଂ ଗସ୍ତ ମାର୍ଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଅତିରିକ୍ତ ପୋଲିସ ବଳ ମୁତାୟନ କରାଯାଇଥିବା ବେଳେ ପରିସ୍ଥିତି ଉପରେ ବରିଷ୍ଠ ପୋଲିସ ଅଧିକାରୀମାନେ କଡ଼ା ନଜର ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ପ୍ରଧାନଙ୍କ ଗସ୍ତକୁ କେନ୍ଦ୍ର କରି ଜିଲ୍ଲାରେ ରାଜନୈତିକ ସରଗରମି ବଢ଼ିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଏହି ଅଟକକୁ ଗଣତାନ୍ତ୍ରିକ ଅଧିକାରରେ ହସ୍ତକ୍ଷେପ ବୋଲି ଅଭିଯୋଗ କରାଯାଇଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
