ଦଶରଥପୁର(ସତ୍ୟପାଠବ୍ୟୁରୋ): ବାରମ୍ବାର ବନ୍ୟା ଆସି ବିପନ୍ନଙ୍କ ଅଣ୍ଟା ଭାଙ୍ଗିଦେଇଛି। ବନ୍ୟାରେ କିଏ ବାସ ହରାଇଲାଣି ତ କିଏ ଜୀବିକା। ଅଣ୍ଟା ସଳଖିବା ପାଇଁ ଭାବିବାବେଳେ ପୁଣି ବନ୍ୟା ଆସି ସବୁକିଛି ଛାରଖାର କରିଦେଉଛି। ପୁଣି ଥରେ ଗାଁରେ ପଶିଲା ବନ୍ୟା ଜଳ। ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ତୃତୀୟ ବନ୍ୟା ଆସିଛି। ଗତ ଜୁଲାଇ ୨୯ ତାରିଖରେ ବୈତରଣୀ ଶାଖା କାଣୀ ନଦୀ ତରପଦା ପଞ୍ଚାୟତ ଡୋଭାବିଲ-ପାଟଣା ଠାରେ ୨ ଟି ଘାଇ ହୋଇଥିଲା। ଗତକାଲି ବୈତରଣୀ ନଦୀରେ ତୃତୀୟ ବନ୍ୟା ଆସିବା ପରେ ଘାଇ ହୋଇଥିବା ସ୍ଥାନରେ ମରାମତି କରାଯାଇଥିବା ଉଚ୍ଚତା ଠାରୁ ପ୍ରାୟ ୩ ଫୁଟ ଉଚ୍ଚତାରେ ଗାଁକୁ ବନ୍ୟା ଜଳ ପ୍ରବେଶ କରୁଛି।

ଫଳରେ ବର୍ତ୍ତମାନ ସୁଦ୍ଧା କସପା ଏବଂ ତରପଦା ପଞ୍ଚାୟତର ଡୋଭାବିଲ, ତରପଦା, ରାମଚନ୍ଦ୍ରପୁର, ଗଣ୍ଡକୂଳ ଆଦି ଗାଁରେ ବନ୍ୟା ଜଳ ପ୍ରବେଶ କରିସାରିଲେଣି। ଯାହାକି ବିପନ୍ନଙ୍କ ଦୁଃଖ ବଢ଼ାଇଦେଇଛି। ବନ୍ୟାରେ ବିପନ୍ନ ଘରକୁ ଫେରି ନଥିବା ବେଳେ ଲଘୁଚାପ ବର୍ଷା ଏବଂ ବନ୍ୟା ଜଳ ଚିନ୍ତାର କାରଣ ପାଲଟିଛି।