ବିଜେପି ଛାଡିଲେ ଲେଖାଶ୍ରୀ, ବିଜେଡିରେ ମିଶିବେ!

ଭୁବନେଶ୍ୱର, ୭/୪(ସତ୍ୟପାଠ ବ୍ୟୁରୋ): ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର | ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ସୋଶାଲ ମିଡିଆ ଜରିଆରେ ଲେଖାଶ୍ରୀ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଲେଖାଶ୍ରୀ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି ଲେଖାଶ୍ରୀ।

କୁହାଯାଉଛି, ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ମାର୍ଚ୍ଚ ୩୦ ତାରିଖରେ ଦଳ କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା। ଆଉ ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ। ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏବେ ସେ ବିଜେଡ଼ିକୁ ଯିବାନେଇ ଚର୍ଚ୍ଚା ହେଉଛି |

ତେବେ ଲେଖାଶ୍ରୀ ରାଜ୍ୟ ବିଜେପିର ଉପ-ସଭାପତି ପଦରେ ରହିଥିଲେ। ଦଳର ଜଣେ ଆଗ୍ରେସିଭ ମୁଖପାତ୍ର ଭାବେ ସେ ସାରା ରାଜ୍ୟରେ ପରିଚିତ | ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରୁଥିଲେ | ଠିକ ସେହିପରି ବିଜେଡି ପକ୍ଷରୁ ମଧ୍ୟ ଳେଖଶ୍ରୀଙ୍କୁ କଡା କାଉଣ୍ଟର କରାଯାଉଥିଲା | ଏପରିକି ଗତ 2019 ନିର୍ବାଚନରେ ଲେଖାଶ୍ରୀ ବିଜେଡ଼ି ଟିକେଟ ପାଇଁ ବ୍ୟାକୁଳ ଥିବା ମଧ୍ୟ ଦଳର ମୁଖପାତ୍ରମାନେ କହିଥିଲେ | ନିର୍ବାଚନ ଆସିଲେ ଲେଖାଶ୍ରୀ କୁଆଡେ ନିଜର ଵୟୋଡ଼ାଟା ଧରି ବିଜେଡି ନେତାଙ୍କ ଦ୍ୱାରସ୍ଥ ହୁଅନ୍ତି ବୋଲି ମଧ୍ୟ ବିଜେଡି ମୁଖପାତ୍ର ମାନେ କହିଥିଲେ | ଆଉ ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଲେଖାଶ୍ରୀ ବିଜେପି ଛାଡିଛନ୍ତି ଆଉ ସେ ମନଭରି ଗାଳିଦେଉଥିବା ବିଜେଡିରେ ହିଁ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି | ସେପଟେ ଳେଖଶ୍ରୀଙ୍କୁ କଡା ସମାଲୋଚନା କରୁଥିବା ବିଜେଡି ତାଙ୍କୁ ଏବେ ଦଳରେ ସାମିଲ କରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା |

Related Posts