ଶୁଭାଶିଷ ଓ ଦେବାଶିଷଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେଡି, ତୃତୀୟ ଆସନକୁ ନେଇ ସସପେନ୍ସ

ଭୁବନେଶ୍ଵର, ୧୨/୨ (ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି। ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବାରବାଟୀ- କଟକର ପୂର୍ବତନ ବିଧାୟକ ହେଉଛନ୍ତି ଦେବାଶିଷ। ସେହପରି ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ବରେ ଅଛନ୍ତି ଶୁଭାଶିଷ ଖୁଣ୍ଟିଆ । ତେବେ ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହୋଇଥିବା ବେଳେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ତେବେ ତୃତୀୟ ଆସନରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି। ଗତଥର ସରପ୍ରାଇଜ୍ କାର୍ଡ ଖେଳି ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି। ଯାହା ସେତେବେଳେ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା। ଏଥର ମଧ୍ୟ ବିଜେଡି ତୃତୀୟ ଆସନ ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଏହି ଆସନରୁ କାହାକୁ ରାଜ୍ୟସଭା ପଠାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନା ଅନୁଯାୟୀ, ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବ୍ରୁଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ମ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ। ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏବେ ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ରହିଛନ୍ତି।

Related Posts